ଜାନୁଆରୀରେ ମାର୍କେଟକୁ ଆସିବ ନାଜାଲ ଟିକା, ଇନ୍‌କୋଭାକ୍‌ସି ପ୍ରତ୍ୟେକ ଡୋଜ୍ ୮୦୦ ଟଙ୍କା

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କୋଭିଡ୍ ନାଜାଲ ଟିକା ‘ଇନ୍‌କୋଭାକ୍‌ସି’ର ମୂଲ୍ୟ ସମ୍ପର୍କରେ ମଙ୍ଗଳବାର ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହି ଟିକା ଡୋଜ୍ ପିଛା ୩୨୫ ଟଙ୍କାର ବିକ୍ରି କରାଯିବ । ଅପରପକ୍ଷରେ ଘରୋଇ ହସ୍ପିଟାଲ ପାଇଁ ଏହା ଡୋଜ୍ ପିଛା ୮୦୦ ଟଙ୍କା (ଟିକସ ଅଲଗା) ଧାର୍ଯ୍ୟ କରାଯାଇଛି । ଏହା ସବୁ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ । ଆଗ୍ରହୀ ବ୍ୟକ୍ତି କୋ-ୱିନ୍ ପୋର୍ଟାଲରେ ଏହି ଟିକା ପାଇଁ ନାମ ପଞ୍ଜୀକୃତ କରିପାରିବେ ବୋଲି କୁହାଯାଇଛି । ୨୦୨୩ ଜାନୁଆରୀ ଶେଷ ସପ୍ତାହରେ ଏହି ଟିକା ମାର୍କେଟକୁ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଏହା ବୁଷ୍ଟର ଡୋଜ୍‌ଭାବେ ବ୍ୟବହାର କରାଯିବାକୁ ଅନୁମତି ମିଳିଛି । ବିଶ୍ୱର ପ୍ରଥମ ନାଜାଲ କୋଭିଡ୍ ଟିକାଭାବେ ମାନ୍ୟତା ପାଇଥିବା ଏହି ଟିକାର ତୃତୀୟ ପର୍ଯର୍୍ୟାୟ ପରକ୍ଷଣ ଜାରି ରହିଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ଜଣାଇଛନ୍ତି । ଉକ୍ତ ଟିକାର ପରୀକ୍ଷଣ ସମୟରେ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ସ୍ତର ଯଥେଷ୍ଟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ୱାସନଳୀର ଉପରିଭାଗରେ ମ୍ୟୁକୋସାଲ୍ ଆଇଜିଏ ଆଣ୍ଟିବଡି ପରିମାଣ ଯଥେଷ୍ଟ ରହିଥିଲେ, ଏହା କୋଭିଡ୍ ସଂକ୍ରମଣ ମାତ୍ରାକୁ ହ୍ରାସ କରୁଥିବାବେଳେ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ ହେବା ସମ୍ଭାବନାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ନାଜାଲ ଟିକାଭାବେ ବ୍ୟବହାର କରିବାକୁ ଡିସିଜିଆଇ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ଚଳିତମାସରେ ଭାରତ ବାୟୋଟେକ୍‌କୁ ଅନୁମତି ଦେଇଥିଲେ । ଗରିବ ଓ ମଧ୍ୟମ ଧରଣର ଦେଶଗୁଡିକ ପାଇଁ ନାଜାଲ ଡେଲିଭେରୀ ସିଷ୍ଟମ ମୂଲ୍ୟକୁ ଯଥାସମ୍ଭବ କମ୍ ରଖାଯାଇଛି । ସୂଚନାଯୋଗ୍ୟ ଭାରତରେ ପ୍ରଥମେ ଉତ୍ପାଦିତ ହୋଇଥିବା ଦୁଇଟି କୋଭିଡ୍ ଟିକା ମଧ୍ୟରୁ ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଅନ୍ୟତମ । ପୁଣେସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ‘କୋଭିସିଲ୍ଡ’ ଟିକା ଉତ୍ପାଦିତ ହୋଇଥିଲା । ୨୦୨୧ ଜାନୁଆରୀ ୧୬ରୁ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବାବେଳେ ଯୋଗ୍ୟ ଲୋକଙ୍କୁ ଏହି ଦୁଇଟି ଟିକା ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ରୁଷ୍ ନିର୍ମିତ ସ୍ପୁଟ୍‌ନିକ୍ ଭି ଏବଂ ଅନ୍ୟ ଟିକା ଭାରତରେ ବ୍ୟବହାର କରାଯାଇଥିଲା । ଅପରପକ୍ଷରେ ନାଜାଲ ଟିକା ଉତ୍ପାଦନ ପ୍ରସଙ୍ଗରେ ସହଯୋଗ କରିଥିବାରୁ ଭାରତ ବାୟୋଟେକ୍ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଅନ୍ୟ ସରକାରୀ ସଂସ୍ଥାକୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button