ଓଡ଼ିଶା ସମେତ ୧୯ ରାଜ୍ୟକୁ ମିଳିଲା ୬,୧୯୪ କୋଟି ୪୦ ଲକ୍ଷ ଟଙ୍କାର ଏସଡିଆରଏଫ ଅନୁଦାନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ଅଧୀନରେ ଓଡ଼ିଶା ସମେତ ୧୯ଟି ରାଜ୍ୟ ପାଇଁ ୬,୧୯୪ କୋଟି ୪୦ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଅର୍ଥରାଶି ମଧ୍ୟରେ ୨୦୨୨-୨୩ ଆର୍ଥିକ ପାଇଁ ୪ଟି ରାଜ୍ୟ – ଛତିଶଗଡ଼, ମେଘାଳୟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶକୁ ଏସଡିଆରଏଫ ବାବଦରେ କେନ୍ଦ୍ର ସରକାରଙ୍କ ଭାଗ ଆକାରରେ ୧୨୦୯ କୋଟି ୬୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହାଛଡ଼ା ୧୫ଟି ରାଜ୍ୟ – ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ପଞ୍ଜାବ, ତାମିଲନାଡୁ, ତ୍ରିପୁରା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ଏସଡିଆରଏଫ ବାବଦ ୪୯୮୪ କୋଟି ୮୦ ଲକ୍ଷ ଟଙ୍କା ସାମିଲ ରହିଛି। ଏହି ଅର୍ଥରାଶିକୁ ବର୍ତ୍ତମାନର ମୌସୁମୀ ଋତୁ ସମୟରେ ବିପର୍ଯ୍ୟୟ ଜନିତ ସହାୟତା ଓ ଥଇଥାନ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୯ଟି ରାଜ୍ୟକୁ ଏସଡିଆରଏଫ ଅଧୀନରେ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୬୪୯ କୋଟି ଟଙ୍କା ଯୋଗାଇ ଦେବାକୁ ପୂର୍ବରୁ ଅନୁମତି ଦେଇସାରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ, କେନ୍ଦ୍ର ସରକାର ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ଏସଡିଆରଏଫ ଅଧୀନରେ ୧,୨୮,୧୨୨.୪୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button