ତୃତୀୟ ଟି-୨୦: ୧୬୮ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଅହମଦାବାଦ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ ୩ ମ୍ୟାଚ୍‌ର ଶୃଙ୍ଖଳାକୁ ୨-୧ରେ ଜିତିଛି। ପୂର୍ବରୁ ଭାରତୀୟ ଟିମ୍‌ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ସେହିପରି ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଟିମ୍‌ ନ୍ୟୁଜିଲାଣ୍ଡ ୨୧ ରନ୍‌ରେ ମ୍ୟାଚ୍‌ ଜିତିଥିଲା। ଭାରତୀୟ ଟିମ୍‌ର ବୋଲରମାନେ ଅହମଦାବାଦରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। କୁଲଦୀପ ଯାଦବଙ୍କ ବ୍ୟତୀତ ଅନ୍ୟ ବୋଲରମାନେ ଭଲ ବୋଲିଂ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ୱିକେଟ୍‌ ନେଇଥିଲେ। ଅର୍ଶଦୀପ ସିଂହ, ଶିଭମ ମାଭି ଓ ଉମ୍ରାନ ମଲ୍ଲିକଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା। ସୂଚନାଯୋଗ୍ୟ କୁଲଦୀପ ଗୋଟିଏ ଓଭର ବୋଲିଂ କରି ୧୨ ରନ୍‌ ଖର୍ଚ୍ଚ କରିଥିଲେ। ନ୍ୟୁଜିଲାଣ୍ଡ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା। କିନ୍ତୁ ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରରେ ସ୍କୋର ୪ ରନ୍‌ ଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର ଫିନ୍‌ ଆଲେନ୍‌ (୩ ରନ୍‌) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଅଳ୍ପ ସମୟ ପରେ ଡ୍ବେନ୍‌ କନୱେ ଆଉଟ୍‌ ହୋଇଥିଲେ। ସେ ମାତ୍ର ୧ ରନ୍‌ କରି ପାଭଲିଅନ ଫେରିଥିଲେ। ନ୍ୟୁଜିଲାଣ୍ଡ ୪.୩ ଓଭରରେ ୨୧ ରନ୍‌ ସଂଗ୍ରହ କରିଥିଲା ବେଳେ ୫ଟି ମୂଲ୍ୟବାନ ୱିକେଟ ହରାଇ ସାରିଥିଲା। ଭାରତର ପ୍ରଭାବଶାଳୀ ବୋଲରଙ୍କ ଆଗରେ ଅତିଥି ଦଳର ଖେଳାଳିମାନେ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ପାରି ନଥିଲେ। ୫୩ ରନ୍‌ରେ କ୍ବିୱି ଦଳ ୨ଟି ୱିକେଟ୍‌(ମିଚେଲ ସଣ୍ଟନର ଓ ଈଶ ସୋଢ଼ି) ହରାଇଥିଲା। ୫୪ ରନ୍‌ ବେଳକୁ ଲକି ଫରଗୁ‌ସନ ଆଉଟ୍‌ ହୋଇଥିଲେ। ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ ବିସ୍ଫୋରକ ବ୍ୟାଟି କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୪ଟି ୱିକେଟ୍‌ ହରାଇ ୨୩୪ ରନ୍‌ ସଂଗ୍ରହ କରିଥିଲା। ଶୁଭମନ୍‌ ଗିଲ୍‌ (ଅପରାଜିତ ୧୨୬ ରନ୍‌, ୬୩ ବଲ୍‌, ୧୨ ଚୌକା ଓ ୭ ଛକା) ଇତିହାସ ରଚିଥିଲେ। ସେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ଶତକ ହାସଲ କରିଥିଲେ। ଗିଲ୍‌ ଆଜି ୩୫ଟି ବଲ୍‌ରୁ ୭ଟି ଚୌକା ବଳରେ ୫୦ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ପରବର୍ତ୍ତୀ ୧୯ଟି ବଲ୍‌ରେ ୫୧ ରନ୍‌ ସଂଗହ କରି ଶତକ ହାସଲ କରିଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଗିଲ୍‌ ୫୪ଟି ବଲ୍‌ ଖେଳି ୧୦ ଚୌକା ଓ ୫ ଛକା ବଳରେ ଶତକ( ୧୦୧ ରନ୍‌) ହାସଲ କରିଥିଲେ।

Related Articles

Leave a Reply

Your email address will not be published.

Back to top button