ଏୟାରକ୍ରାଫ୍ଟ ଦୁର୍ଘଟଣାରେ ଆଖିବୁଜିଲେ ୨ ପାଇଲଟ୍‌

ହାଇଦ୍ରାବାଦ : ସୋମବାର ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ବାୟୁସେନା କହିଛି ରୁଟିନ ଟ୍ରେନିଂ ସମୟରେ ପିସି -୭ ଏମକେ ୨(PC 7 Mk II )ବିମାନରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଦୁଇଜଣ ପାଇଲଟ ବିମାନରେ ଥିଲେ। ଉଭୟେ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି। ତେବେ ଏଥିରେ କୌଣସି ସାଧାରଣ ନାଗରିକଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଆଇଏଏଫ କୋର୍ଟ ଫ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ଟୁଇଟ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ବିମାନଟି କିଛି ମିନିଟ ମଧ୍ୟରେ ଜଳି ପାଉଁଶ ହୋଇଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନା ବିମାନରେ କେତେ ଲୋକ ଥିଲେ ସେନେଇ ସ୍ଥାନୀୟ ଲୋକ ଅନିଶ୍ଚିତ ଅଛନ୍ତି। ଗତ ମାସରେ ଅକ୍ଟୋବରରେ ମହାରାଷ୍ଟ୍ରର ପୁଣେର ଏକ ଗ୍ରାମ ନିକଟରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାରାମତି ପୋଲିସ ଷ୍ଟେଶନର ଇନ୍ସପେକ୍ଟର ପ୍ରଭାକର କହିଛନ୍ତି, ରେଡବର୍ଡ ଇନଷ୍ଟିଚ୍ୟୁଟ (ରେଡବର୍ଡ ଫ୍ଲାଇଟ ଟ୍ରେନିଂ ଏକାଡେମୀ) ର ଏକ ଟ୍ରେନିଂ ବିମାନ ବାରାମତି ତାଲୁକା ଅନ୍ତର୍ଗତ କାଟଫାଲ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତି, ସମ୍ଭବତଃ କୋ-ପାଇଲଟ, ବିମାନରେ ଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଜୁନ ମାସରେ କର୍ନାଟକର ଚାମରାଜନଗର ଜିଲାର ଭୋଗପୁରା ଗ୍ରାମରେ ଏକ ଖୋଲା ପଡ଼ିଆରେ ଭାରତୀୟ ବାୟୁସେନାର କିରଣ ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜେଟରେ ଥିବା ଦୁଇ ପାଇଲଟ ପାରାଚ୍ୟୁଟ ବ୍ୟବହାର କରି ସଫଳତାର ସହ ବାହାରି ଆସିଥିଲେ।

Related Articles

Leave a Reply

Your email address will not be published.

Back to top button