ଦେଶରେ ୧,୫୯,୦୬୯ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟରେ ସାରା ‌ଦେଶରେ ୧,୫୯,୦୬୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ସେଥିରୁ ୪,୪୦୮ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ କରାଯାଇଛି। ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ଗତବର୍ଷ ଅଗଷ୍ଟରେ ୩,୮୮୪ କୋଟି ଟଙ୍କା ଥିଲା। ସେହି ତୁଳନାରେ ଚଳିତ ବର୍ଷ ଅଗଷ୍ଟ ସଂଗ୍ରହରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି। ସାରା ଦେଶରେ ଜିଏସ୍‌ଟି ସଂଗ୍ରହରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ଅଗଷ୍ଟରେ ସାରା ଦେଶରେ ୧,୫୯,୦୬୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ଅଗଷ୍ଟରେ ଓଡ଼ିଶାରେ ୧୩୩୨.୯୯ କୋଟି ଟଙ୍କାର ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି) ସଂଗ୍ରହ ହୋଇଛି ଯାହା ୨୦୨୨ ଅଗଷ୍ଟର ୧୦୨୮.୦୭ କୋଟି ଟଙ୍କା ତୁଳନାରେ ୨୬.୯୯ ପ୍ରତିଶତ ଅଧିକ।

ଓଡ଼ିଶା ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍‌ ପକ୍ଷରୁ ଅଗଷ୍ଟରେ ସବୁ ପ୍ରକର ଟିକସ ଯଥା ଜିଏସ୍‌ଟି, ଭାଟ୍, ପ୍ରବେଶ ଶୁଳ୍କ, ପ୍ରଫେସନାଲ୍ ଟ୍ୟାକ୍ସ ଆଦିକୁ ମିଶାଇ ୨୭୯୩.୩୮ କୋଟି ଟଙ୍କା ସଂଗ୍ରହ କରାଯାଇଛି ଯାହା ପୂର୍ବବର୍ଷର ଅଗଷ୍ଟରେ ହୋଇଥିବା ୨୨୧୯.୮୧ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨୫.୮୪ ପ୍ରତିଶତ ଅଧିକ। ତେବେ ପେଟ୍ରୋଲିୟମ୍ ଉତ୍ପାଦ ଓ ମଦରୁ କେତେ ପରିମାଣର ଭାଟ୍‌ ସଂଗ୍ରହ କରାଯାଇଛି ତାହା ନିର୍ଦ୍ଦିଷ୍ଟ ସୂଚନା କମିସନରେଟ୍‌ ତରଫରୁ ଦିଆଯାଇନାହିଁ। ଅଗଷ୍ଟରେ ରାଜ୍ୟରେ ୨୦.୭୫ ଲକ୍ଷ ଇ ୱେ-ବିଲ୍ ସୃଷ୍ଟି କରାଯାଇଛି ଯାହା ୨୦୨୨ ଅଗଷ୍ଟର ୧୫.୮୧ ଲକ୍ଷ ଇ ୱେବିଲ୍ ତୁଳନାରେ ୩୧.୨୪ ପ୍ରତିଶତ ଅଧିକ।

Related Articles

Leave a Reply

Your email address will not be published.

Back to top button