୧୦୮ତମ ବିଜ୍ଞାନ କଂଗ୍ରେସ ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ

ଆଗାମୀ ୨୫ ବର୍ଷ ପାଇଁ ବିଜ୍ଞାନର ଲକ୍ଷ୍ୟଧାର୍ଯ୍ୟ

ନାଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରରେ ନାଗପୁର ସହରରେ ଆୟୋଜିତ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆଗାମୀ ୨୫ ବର୍ଷ ପାଇଁ ବିଜ୍ଞାନର ଲକ୍ଷ୍ୟଧାର୍ଯ୍ୟ କରାଯିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଦେଶକୁ ଆତ୍ମନିର୍ଭରଶୀଳ ଏବଂ ଦୈନିନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାରେ ନିଜସ୍ୱ ଜ୍ଞାନକୁ ପ୍ରୟୋଗ କରିବାକୁ ମୋଦୀ ସବୁ ବୈଜ୍ଞାନିକ ଓ ରିସର୍ଚ୍ଚ ସ୍କଲାରଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହିତ ଡାଟା ସାଇନ୍ସ, କ୍ୱାଣ୍ଟମ୍ ଟେକ୍ନୋଲୋଜି, ନୂତନ ଟିକା ଉଦ୍ଭାବନ, ନୂତନ ରୋଗ ସମ୍ପର୍କରେ ଅନୁଧ୍ୟାନ ଏବଂ ରିସର୍ଚ୍ଚ ପାଇଁ ଯୁବପିଢିଙ୍କୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ମୋଦୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେତେବେଳେ ପରୀକ୍ଷାଗାରରୁ ବାହାରିଥିବା କୌଣସି ବିଜ୍ଞାନ ସମ୍ମତ ପରିଣାମ ସାଧାରଣ ଲୋକଙ୍କ ହିତରେ ଲାଗିଥାଏ, ସେତେବେଳେ ହିଁ ପ୍ରକୃତ ସଫଳତା ଉପଲବ୍ଧୀ ହୋଇଥାଏ ବୋଲି ମୋଦୀ କହିଛନ୍ତି । ତେଣୁ ଜର୍ଣ୍ଣାଲରୁ ଜମି ପର୍ଯ୍ୟନ୍ତ ବୈଜ୍ଞାନିକ ପରୀକ୍ଷଣକୁ ଅଣାଗଲେ, ଏହା କେବଳ ଦେଶ ନୁହେଁ ବରଂ ବିଶ୍ୱବାସୀଙ୍କ ଉପକାରରେ ଲାଗିବ ବୋଲି ସେ କହିଛନ୍ତି । ଏଥିସହିତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସଜାଡିବା ସହ ଗୁରୁ-ଶିଷ୍ୟ ପରମ୍ପରାକୁ ନୂତନ ଶିଖରରେ ପହଞ୍ଚାଇବାକୁ ମୋଦୀ ଆହ୍ୱାନ ଦେଇଛନ୍ତିି । ରାଷ୍ଟ୍ରସନ୍ଥ ଟୁକ୍‌ଡୋଜୀ ମହାରାଜ ନାଗପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବୀସଙ୍କ ସମେତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ୍‌କରୀ ଓ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିିତ ଥିଲେ ।

Related Articles

Leave a Reply

Your email address will not be published.

Back to top button