ୟୁଜିସି ଦ୍ୱାରା ୨୧ ଜାଲ୍ ବିଶ୍ୱବିଦ୍ୟାଳୟ ସୂଚୀ ଜାରି

ଦିଲ୍ଲୀରେ ସର୍ବାଧିକ ଜାଲ୍ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି) ଶୁକ୍ରବାର କୌଣସି ପ୍ରକାର ଡିଗ୍ରୀ ଦେବାର ଅଧିକାର ପ୍ରଦାନ କରାଯାଇ ନଥିବା ଦେଶର ୨୧ ଜାଲ୍ ବିଶ୍ୱବିଦ୍ୟାଳୟର ସୂଚୀ ଜାରି କରିଛି । ୟୁଜିସି ପକ୍ଷରୁ ଜାଲ୍ ଘୋଷିତ ବିଶ୍ୱବିଦ୍ୟାଳୟ କିମ୍ବା ଇନ୍‌ଷ୍ଟିଚ୍ୟୁଟ୍ ମଧ୍ୟରୁ ସର୍ବାଧିକ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ରହିଛି । ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି, ‘ୟୁଜିସି ଅଧିନିୟମ ଉଲ୍ଲଂଘନ କରି କାର୍ଯ୍ୟ କରୁଥିବା ଅତି କମ୍‌ରେ ୨୧ ଅଣମାନ୍ୟତା ସଂସ୍ଥାକୁ ଜାଲ୍ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ସେମାନଙ୍କର କୌଣସି ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ ।’ ଦିଲ୍ଲୀରେ ସର୍ବାଧିକ ୮ଟି ଜାଲ୍ ବିଶ୍ୱବିଦ୍ୟାଳୟ ଥିବାବେଳେ ଉତ୍ତର ପ୍ରଦେଶର ୪ଟି ସଂସ୍ଥା ଜାଲ୍ ବୋଲି ଜଣାପଡ଼ିଛି । ଏହି ସଂସ୍ଥାଗୁଡ଼ିକ ୟୁଜିସି ଅଧିନିୟମ ୧୯୫୬ର ଉଲ୍ଲଂଘନ କରିଛନ୍ତି । ଏହି ସୂଚୀରେ ଓଡ଼ିଶାର ଦୁଇଟି ଜାଲ୍ ବିଶ୍ୱବିଦ୍ୟାଳୟ ରହିଛନ୍ତି । ସେଗୁଡ଼ିକ ହେଲା ରାଉରକେଲା ଶକ୍ତିନଗରର ପାଣିଟାଙ୍କି ରୋଡ୍‌ର ଅନ୍ନପୂର୍ଣ୍ଣ ଭବନ ପ୍ଲଟ୍ ନଂ-୨୪୨ରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜ ଜିଲ୍ଲା ବାରିପଦା ୟୁନିଭର୍ସିଟି ରୋଡ୍‌ରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର୍ ଆଣ୍ଡ୍ ଟେକ୍ନୋଲୋଜି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ଦୁଇଟି, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ, ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏଁ ଜାଲ୍ ବିଶ୍ୱବିଦ୍ୟାଳୟ ଥିବା ୟୁଜିସି ସୂଚନା ଦେଇଛି ।

Related Articles

Leave a Reply

Your email address will not be published.

Back to top button