ୟୁଜର୍ସଙ୍କ ଡାଟା ପ୍ରାଇଭେସୀ ସିକ୍ୟୁରିଟି ପ୍ରସଙ୍ଗ
ସଂସଦୀୟ କମିଟି ରାଡାର୍ରେ ଟ୍ୱିଟର୍ ଓ ଆଇଆର୍ସିଟିସି

ନୂଆଦିଲ୍ଲୀ: ନାଗରିକଙ୍କ ଡାଟା ସିକ୍ୟୁରିଟି ଏବଂ ପ୍ରାଇଭେସି ପ୍ରସଙ୍ଗରେ ସୂଚନା ପ୍ରାଦ୍ୟୋଗିକୀ ସଂସଦୀୟ କମିଟି ଟ୍ୱିଟର୍ ଏବଂ ରେଳବାଇ କ୍ୟାଟରିଂ ଏବଂ ଟ୍ୟୁରିଜିମ୍ କର୍ପୋରେସନ୍ (ଆଇଆର୍ସିଟିସି)କୁ ସମନ ପଠାଇଛି । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ଶଶି ଥରୁର୍ ଅଧ୍ୟକ୍ଷ ଥିବା ସଂସଦୀୟ କମିଟି ଶୁକ୍ରବାର ଦୁଇ କମ୍ପାନୀର ଶୀର୍ଷ ଅଧିକାରୀଙ୍କୁ ତଲବ କରିଛନ୍ତି । ଷ୍ଟାଣ୍ଡିଂ କମିଟି କମ୍ପାନୀର ଅଧିକାରୀମାନଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରିବ । ୟୁଜର୍ସଙ୍କ ଡାଟା ପ୍ରାଇଭେସି ଏବଂ ସିକ୍ୟୁରିଟି ନେଇ ଟ୍ୱିଟର୍କୁ ପ୍ରଶ୍ନ ପଚରାଯିବ । ସେହିପରି ପାସେଞ୍ଜର୍ଙ୍କ ଟାଟାକୁ ମନିଟାଇଜ୍ କରିବାକୁ ନେଇ ଜାରି ହୋଇଥିବା ଟେଣ୍ଡର ସମ୍ପର୍କରେ ଆଇଆର୍ସିଟିସିକୁ ପଚରା ଉଚରା କରାଯିବ ।
ଦୁଇଦିନ ତଳେ ଟ୍ୱିଟର୍ର ପୂର୍ବତନ ସିକ୍ୟୁରିଟି ପ୍ରମୁଖ ପିଟର ଜଟକୋ ଭାରତ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ । ସେ କହିଥିଲେ ସରକାର ସୋସିଆଲ୍ ମିଡିଆ କମ୍ପାନୀକୁ ଜଣେ ଏପରି ବ୍ୟକ୍ତିଙ୍କୁ କାମରେ ରଖିବାକୁ ବାଧ୍ୟ କରୁଛନ୍ତି, ଯିଏ ଜଣେ ସରକାରୀ ଏଜେଣ୍ଟ ଥିଲେ । ଲୋକଙ୍କ ସମ୍ବେଦନଶୀଳ ତଥ୍ୟକୁ ହାସଲ କରିବା ଏହାର ଉଦ୍ଦେଶ୍ୟ ବୋଲି ପିଟର୍ କହିଥିଲେ । ଅବଶ୍ୟ ଟ୍ୱିଟର୍ ଏହାକୁ ଏକ ମିଛ କାହାଣୀ କହି ଏଡ଼ାଇ ଦେଇଛି । ଚଳିତ ବର୍ଷ ଜାନୁଆରୀରେ ଜାଟକୋଙ୍କୁ କମ୍ପାନୀରୁ ବିଦା କରାଯାଇଥିଲା । ଅନ୍ୟପକ୍ଷରେ ପାସେଞ୍ଜର୍ଙ୍କ ତଥ୍ୟା ବିକ୍ରିକରି ଅର୍ଥ ଆୟ କରିବାକୁ ଆଇଆର୍ସିଟିଜି ଯୋଜନା କରୁଛି ବୋଲି ଅଭିଯୋଗ ହୋଇଛି । ଡିଜିଟାଲ୍ ମନିଟାଇସେନ୍ରୁ ଆଇଆର୍ସିଟିସି ୧୦୦୦ କୋଟି ଟଙ୍କା ଆୟ କରିବ । ୧୦ କୋଟିରୁ ଊର୍ଦ୍ଧ୍ୱ ୟୁଜର୍ସ ଥିବା ଆଇଆର୍ସିଟିସି କଷ୍ଟମର୍ଙ୍କ ତଥ୍ୟକୁ ମନିଟାଇଜ୍ କରିବା ପାଇଁ ଜଣେ ପରାମର୍ଶଦତା ନିଯୁକ୍ତି ପାଇଁ ଟେଣ୍ଡର ଜାରି କରିଛି ବୋଲି ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ବିଲ୍କୁ ଅଗଷ୍ଟ ୩ ତାରିଖରେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସ୍ଥାନରେ ସରକାର ସାଇବର ସ୍ପେଶ୍ ପର୍ସପାଲ୍ ଡାଟା ପ୍ରୋଟେକ୍ସନ୍ ପାଇଁ ନୂଆ ବିଲ୍ ଆଣିବେ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଲ୍ ପ୍ରତ୍ୟାହାର ପ୍ରସ୍ତାବ ରଖିଥିଲେ । ଥରୁର୍ଙ୍କ ନେତୃତ୍ୱାଧୀନ ପ୍ୟାନେଲ୍ ଡାଟା ସିକ୍ୟୁରିଟି ଏବଂ ପ୍ରାଇଭେସିକୁ ନେଇ ଟେକ୍ କମ୍ପାନୀ, ସୋସିଆଲ୍ ମିଡିଆ ଫାର୍ମ ଏବଂ ମନ୍ତ୍ରଣାଳୟ ସହ ମିଟିଂ ଚଳାଇଛନ୍ତି । ପ୍ୟାନେଲ୍ ଅଗଷ୍ଟ ୩୦ ତାରିଖରେ କମିଟିର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ରିପୋର୍ଟ ପ୍ରଦାନ କରିବାର ଅଛି ।