ଫ୍ରି ସ୍କିମ୍ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆ ବେଞ୍ଚ୍‌ରେ ହେବ ଶୁଣାଣି

ନୂଆଦିଲ୍ଲୀ: ମାଗଣା ନିର୍ବାଚନୀ ପ୍ରତିଶ୍ରୁତି (ଫ୍ରି ସ୍କିମ୍‌) ଉପରେ ରୋକ୍ ଲଗାଇବାକୁ ଦାବିକରି ହୋଇଥିବା ପିଟିଶସନ୍ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ପରେ ମୁଖ୍ୟ ବିଚାରପତି (ସିଜେଆଇ) ଏନ୍‌ଭି ରମନ୍ନା ମାମଲା ନୂଆ ବେଞ୍ଚ୍‌କୁ ପଠାଇ ଦେଇଛନ୍ତି । ଶୁଣାଣି ବେଳେ ସିଜେଆଇ କହିଥିଲେ, ଏହା ଉପରେ କମିଟି ଗଠନ କରାଯାଇପାରେ । ମାତ୍ର କମିଟି କ’ଣ ଏହାର ପରିଭାଷା ଠିକ୍ ଭାବେ ନିର୍ଦ୍ଧାରିତ କରିପାରିବ । ସିଜେଆଇ କହିଥିଲେ, ଏହି ମାମଲାର ବିସ୍ତୃତ ଶୁଣାଣିର ଆବଶ୍ୟକତା ରହିଛି ଏବଂ ଏହାକୁ ଗମ୍ଭୀରତାର ସହିତ ନେବା ଉଚିତ । ନିଷ୍ପତ୍ତି ଶୁଣାଇବା ପରେ ସିଜେଆଇ ରମନ୍ନା ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାର ଉତ୍ତରରେ ଉପାଧ୍ୟାୟ କହିଲେ, ଆମେ ଆପଣଙ୍କୁ ମିସ୍ କରିବୁ । ନୂଆ ବେଞ୍ଚ୍‌ରେ ପରବର୍ତ୍ତୀ ସିଜେଆଇ ୟୁୟୁ ଲଳିତଙ୍କ ସମେତ ୩ ଜଜ୍ ରହିବେ ଏବଂ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଫ୍ରି ବ୍ରିଜ୍ ମାମଲାର ଶୁଣାଣି ସିଜେଆଇ ଏନ୍‌ଭି ରମନ୍ନାଙ୍କ ନେତୃତ୍ୱାଧୀନ ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ତିନିଜଣିଆ ବେଞ୍ଚ୍‌ରେ ହେଉଥିଲା ।
ଅଗଷ୍ଟ ୩ ତାରିଖରୁ ମାମଲାର ଚାଲିଥିବା ଶୁଣାଣି ଅବସରରେ ଅଗଷ୍ଟ ୧୧ ତାରିଖରେ ନିର୍ବାଚନ କମିଶନ (ଇସି) ଫ୍ରିବିଜ୍ ଉପରେ ରାଜନୈତିକ ପାର୍ଟିଗୁଡ଼ିକ କ’ଣ ପଲିସି ଆପଣାଉଛନ୍ତି, ତାକୁ ରେଗୁଲେଟ୍ କରିବା ଇସିଙ୍କ ଅଧିକାର ଅଧୀନରେ ନାହିଁ । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେବା କିମ୍ବା ନିର୍ବାଚନ ପରେ ତାକୁ ପୂରଣ କରିବା ରାଜନୈତିକ ପାର୍ଟିଗୁଡ଼ିକ ନୀତିଗତ ନିଷ୍ପତ୍ତି ହୋଇଥାଏ । ଏ ସମ୍ପର୍କରେ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କରିବା ନିର୍ବାଚନ କମିଶନଙ୍କ ଶକ୍ତିର ଦୁରୁପଯୋଗ ସଦୃଶ୍ୟ ହେବ । ଫ୍ରି ସ୍କିମ୍ ମଧ୍ୟରେ କ’ଣ ଆସୁଛି ଏବଂ କ’ଣ ଆସୁନି କୋର୍ଟ ତାହା ସ୍ଥିର କରନ୍ତି । ଏହା ପରେ ଆମେ ଏହାକୁ ଲାଗୁ କରିବୁ ବୋଲି ଇସି କହିଥିଲେ ।
ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଜନହିତ ଆବେଦନ କରି ନିର୍ବାଚନରେ ମାଗଣା ଉପହାର ଏବଂ ସୁବିଧା ବାଣ୍ଟିବା ପାଇଁ ପ୍ରତିଶ୍ରୁତି ଦେଉଥିବା ପାର୍ଟିଗୁଡ଼ିକର ମାନ୍ୟତା ରଦ୍ଦ କରାଯାଉ ବୋଲି ଦାବି କରିଥିଲେ । ଏହା ଉପରେ ପରାମର୍ଶ ଦେବାପାଇଁ କୋର୍ଟ ତରଫରୁ କପିଳ ସିବଲ୍‌ଙ୍କୁ ଆମନ୍ତ୍ରିତ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button