ଦଳୀୟ ମନ୍ତ୍ରୀଙ୍କୁ ତେଜସ୍ୱୀଙ୍କ ୬ଟି କର୍ଣ୍ଣମନ୍ତ୍ର

ପାଟନା: ଜେଡିୟୁ ନେତା ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ନୂଆ ମେଣ୍ଟ ସରକାର ଇତିମଧ୍ୟରେ ଗଠିତ ହୋଇସାରିଛି । ଏନ୍‌ଡିଏରୁ ଓହରିବାପରେ ଆରଜେଡି ଓ କଂଗ୍ରେସ ଭଳି ୭ଟି ଦଳ ସହ ନୀତୀଶ ମହାମେଣ୍ଟ କରିଛନ୍ତି । ନିକଟରେ ୩୧ ନୂଆ ମନ୍ତ୍ରୀ ଶପଥଗ୍ରହଣ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାବଦଙ୍କୁ ବାଦଦେଇ ଆରଜେଡିର ସର୍ବାଧିକ ୧୬ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି । ମହାମେଣ୍ଟ ସରକାର କିପରି ସୁରୁଖୁରୁରେ କାର୍ଯ୍ୟ କରିବ, ସେଥିପାଇଁ ତେଜସ୍ୱୀ ଶନିବାର ଦଳୀୟ ମନ୍ତ୍ରୀଙ୍କୁ ୬ଟି ମନ୍ତ୍ର ଦେଇଛନ୍ତି । ସୋସିଆଲ ମିଡିଆରେ ଏଗୁଡିକ ଅପ୍‌ଲୋଡ ହୋଇସାରିଛି । ତଦନୁଯାୟୀ ଆରଜେଡିର ପ୍ରତ୍ୟେକ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟକାଳ ସମୟରେ ବିଭାଗ ତରଫରୁ ନୂଆ ଗାଡି କିଣିପାରିବେ ନାହିଁ । ଦ୍ୱିତୀୟରେ ପ୍ରତ୍ୟେକ ଲୋକଙ୍କ ପ୍ରତି ମନ୍ତ୍ରୀମାନେ ବିନୟଭାବ ପୋଷଣ କରିବେ । ସୌଜନ୍ୟମୂଳକ ସାକ୍ଷାତକାର ହେଉ କିମ୍ବା ସମସ୍ୟାର ସମାଧାନ ପାଇଁ ଭେଟିବାକୁ ଆସୁଥିବା ଲୋକଙ୍କୁ ମନ୍ତ୍ରୀମାନେ ‘ନମସ୍କାର କିମ୍ବା ଆଦାବ୍‌’ କହି ସମ୍ଭାଷଣ କରିବେ । ତୃତୀୟରେ କୌଣସି ଦଳୀୟ କର୍ମୀ, ଶୁଭେଛୁ କିମ୍ବା ସମର୍ଥକ ଯେପରି ମନ୍ତ୍ରୀଙ୍କ ପାଦ ନ ଛୁଅନ୍ତି, ସେଥିପ୍ରତି ସତର୍କ କରିବାକୁ ମଧ୍ୟ କୁହାଯାଇଛି । ଲୋକଙ୍କୁ ଉପହାର ସ୍ୱରୂପ ଫୁଲତୋଡା ପରିବର୍ତ୍ତେ ପୁସ୍ତକ କିମ୍ବା କଲମ ଦେବାକୁ କୁହାଯାଇଛି । ଗୁହାରି ଶୁଣିବା ସମୟରେ ସଂପୃକ୍ତ ଲୋକର ଜାତି, ବର୍ଣ୍ଣ କିମ୍ବା ଧର୍ମକୁ ଦୃଷ୍ଟିରେ ନ ରଖିବାକୁ ମନ୍ତ୍ରୀଙ୍କୁ ତାଗିଦା କରାଯାଇଛି । ବିଭାଗୀୟ କର୍ମଚାରୀମାନେ ଯେପରି ସାଧୁତା, ସ୍ୱଚ୍ଛତା ଏବଂ ସମୟାନୁବର୍ତ୍ତିତା ପାଳନ କରିବେ, ତାହାକୁ ମନ୍ତ୍ରୀମାନେ ହିଁ ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକଟି ବିଭାଗୀୟ କାର୍ଯ୍ୟ କିମ୍ବା ଯୋଜନାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍ କରିବାକୁ କୁହାଯାଇଛି, ଯାହାଫଳରେ ସାଧାରଣ ଲୋକେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ ହୋଇପାରିବେ । ପୂର୍ବରୁ ବିହାରରେ ଅଣ-ଏନ୍‌ଡିଏ ଶାସନ ସମୟରେ ବିହାରରେ ହତ୍ୟା, ଡକାୟତି, ବଳାତ୍କାର କିମ୍ବା ଅପହରଣ ଭଳି ଅପରାଧ ବ୍ୟାପକ ହେଉଥିଲା ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଆରଜେଡିର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବାକୁ ତେଜସ୍ୱୀ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button