ଜାତିସଂଘରେ ମେକ୍ସିକୋ ବିଦେଶ ମନ୍ତ୍ରୀଙ୍କ ମନ୍ତବ୍ୟ

ରୁଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ସ୍ଥାପନ କରିପାରିବେ ମୋଦୀ

ନ୍ୟୁୟର୍କ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ମାସାଧିକ କାଳ ଯୁଦ୍ଧ ଲାଗି ରହିଛି ଏବଂ ସାରା ବିଶ୍ୱ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଏପରି ସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ସ୍ଥାପନ କରିପାରିବେ ବୋଲି ମେକ୍ସିକୋ ପକ୍ଷରୁ ଜାତିସଂଘରେ କୁହାଯାଇଛି । ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆୟୋଜିତ ଏକ ଡିବେଟ୍‌ରେ ମେକ୍ସିକୋ ବିଦେଶ ମନ୍ତ୍ରୀ ମାର୍ସେଲୋ ଲୁଇସ୍ ଏବରାର୍ଡ କେସୁବୋନ୍ ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଏକ କମିଟି ଗଠନ ପାଇଁ ଜାତିସଂଘକୁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ପୋପ୍ ଫ୍ରାନ୍‌ସିସ୍ ଏବଂ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ତତ୍କାଳ ସାମିଲ କରିବାକୁ ସେ କହିଛନ୍ତି । ଉଜ୍‌ବେକିସ୍ତାନର ସମରକନ୍ଦରେ ନିକଟରେ ଆୟୋଜିତ ସାଂଘାଇ ସହଯୋଗ ସଂଠନ (ଏସ୍‌ସିଓ)ର ୨୨ତମ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିଥିଲେ । ଏହି ସାକ୍ଷାତ୍ ବେଳେ ସେ ପୁଟିନ୍‌ଙ୍କୁ କହିଥିଲେ, ‘ଆଜିର ଯୁଗ ଯୁଦ୍ଧର ସମୟ ନୁହେଁ’ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟକୁ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ସମେତ ପଶ୍ଚିମ ଦେଶଗୁଡ଼ିକ ସ୍ୱାଗତ କରିଥିଲେ । କାସୋବୋନ୍ କହିଛନ୍ତି, ଅନ୍ତର୍ଜାତୀୟ ସମୁଦାୟକୁ ଶାନ୍ତି ସ୍ଥାପନ ପାଇଁ ସର୍ବଶ୍ରେଷ୍ଠ ଉଦ୍ୟମ କରିବା ଉଚିତ ଏବଂ ଏହି ସମିତିରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସାମିଲ କରାଯାଉ ବୋଲି ମେକ୍ସିକୋ ଚାହେଁ ।

Related Articles

Leave a Reply

Your email address will not be published.

Back to top button