ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ । ସେଠାରେ ସେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ । ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ପ୍ରଧାନମନ୍ତ୍ରୀ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ସାବରମତି ନଦୀ ନିକଟରେ ଆୟୋଜିତ ‘ଖଦି ମହୋତ୍ସବ’କୁ ସମ୍ବୋଧିତ କରିବେ । ଏଥିସହ ସାବରମତି ନଦୀକୂଳରେ ସେ ବିଶ୍ବସ୍ତରୀୟ ଅଟଳ ବ୍ରିଜ୍‌ର ଲୋକାର୍ପଣ କରିବେ । ଏହି ବ୍ରିଜ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇଛି । ଆସନ୍ତାକାଲି ସକାଳ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୁଜ ଜିଲ୍ଲା ଗସ୍ତରେ ଯିବେ । ସେଠାରେ ୨୭୦ ଏକର ଅଞ୍ଚଳରେ ନିର୍ମିତ ସ୍ମୃତି ବନ ମେମୋରିଆଲର ଉଦ୍‌ଘାଟନ କରିବେ । ଏହି ମେମୋରିଆଲରେ ୨୦୦୧ ଭୂକମ୍ପ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ନାମ ରହିଛି । ଏହାସହିତ ମୋଦି ଏଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀଙ୍କ ଭୁଜରେ ପ୍ରାୟ ୪,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରବିବାର ମଧ୍ୟାହ୍ନ ୧୨ଟା ସମୟରେ ମୋଦି କେଏସକେଭି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗ ଦେବେ । ଏହାସହିତ ସର୍ଦ୍ଦାର ସରୋବର ପ୍ରକଳ୍ପର କାଞ୍ଚନ ଶାକା କେନାଲ ଉଦଘାଟନ କରିବେ । ଏହି କେନାଲର ଲମ୍ବ ପ୍ରାୟ ୩୫୭ କିଲୋମିଟର ରହିଛି । ପିଏମ୍‌ ମୋଦି ଉଦଘାଟନ କରିବାକୁ ଥିବା ପ୍ରକଳ୍ପ ମଧ୍ୟରେ ସରହଦ ଡାଏରୀର ସ୍ବୟଂଚାଳିତ ଦୁଗ୍ଧ ପ୍ରକ୍ରିୟକରଣ ଏବଂ ପ୍ୟାକେଜିଂ ପ୍ଲାଣ୍ଟ ସମେତ ଭୁଜର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଗାନ୍ଧୀଧାମରେ ଡକ୍ଟର ବାବା ସାହେବ ଆମ୍ବେଦକର କନଭେନସନ ସେଣ୍ଟର, ଅଞ୍ଜରରେ ବୀର ବାଲ ସ୍ମାରକ, ଭୁଜ୍ ଦ୍ବିତୀୟ ସବ୍‌ଷ୍ଟେସନ ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

Related Articles

Leave a Reply

Your email address will not be published.

Back to top button