ହିମାଚଳରେ ଆକସ୍ମିକ ବନ୍ୟା, ୨୨ ମୃତ

ସିମଳା: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଅତଡା ଖସି ଏବଂ ବନ୍ୟାଜଳରେ ଭାସିଯାଇ ୨୨ ଜଣ ପ୍ରାଣ ହରାଇଥିବାବେଳେ ୫ ଜଣ ନିଖୋଜ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ମଣ୍ଡି, କାଙ୍ଗା ଓ ଚାମ୍ବ୍ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶକ ସୁଦେଶ କୁମାର ସୂଚନା ଦେଇଛନ୍ତି । ମଣ୍ଡି ଜିଲ୍ଲାରେ ସର୍ବାଧିକ ୧୩ ଜଣ ପ୍ରାଣ ହରାଇଥିବାବେଳେ ୫ ଜଣ ନିଖୋଜ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଜିଲ୍ଲାର କେଶାନ ଗ୍ରାମରୁ ଗୋଟିଏ ପରିବାରର ୮ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଚାମ୍ବ୍ ଜିଲ୍ଲାରେ ଅତଡା ଖସି ଘର ଭାଙ୍ଗିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏକାଧିକ ସ୍ଥାନରେ ପାହାଡରୁ ଅତଡା ଖସିବା ଫଳରେ ମଣ୍ଡି ସମେତ ସମସ୍ତ ପ୍ରଭାବିତ ଜିଲ୍ଲାରେ ମୋଟ ୭୪୩ଟି ସଡକ ଅବରୋଧ ହୋଇଛି । କାଙ୍ଗ୍ରା ଉପତ୍ୟକାରେ ଚକି ନଦୀ ଉପରେ ନିର୍ମିତ ରେଳ ପୋଲର ଦୁଇଟି ସ୍ତମ୍ଭ ଧୋଇଯାଇଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବିପନ୍ନ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ତେବେ ଏପର୍ଯ୍ୟନ୍ତ ବନ୍ୟାଜଳ ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । କାଙ୍ଗ୍ରା ଜିଲ୍ଲାରେ କାନ୍ଥ ପଡି ୪ ଜଣଙ୍କର ମୃତ୍ୟୁ ଘଟିଛି । କାଙ୍ଗ୍ରା ଉପତ୍ୟକାରେ ଥିବା ଏକ ରେଳଧାରଣା ବନ୍ୟାରେ ଧୋଇଯାଇଛି । ଅଗଷ୍ଟ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଯୋଗୁଁ କାଙ୍ଗ୍ରା, ଚାମ୍ବ, କୁଲ୍ଲୁ, ସିମଳା, ସୋଲାନ୍‌, ହମିରପୁର, ଉନା ଓ ବିଳାସପୁର ଜିଲ୍ଲାରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାହାଡରୁୁ ଅତଡା ଖସିବା ଫଳରେ ରାଜପଥରେ ଅଟକିଥିବା ଶତାଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । କାଙ୍ଗ୍ରା ଜିଲ୍ଲାର ଘୁମର୍ଣ୍ଣୁ ଦ୍ୱୀପରେ ଜଳବନ୍ଦୀ ଥିବା ୧୧ ଜଣଙ୍କୁ ଏନ୍‌ଡିଆରଏଫ୍ ଓ ସେନା ଯବାନ ଶୁକ୍ରବାର ଉଦ୍ଧାର କରିଥିବା ଜଣାପଡିଛି । ସବୁ ଶିକ୍ଷାନୁଷ୍ଠାନକୁ ତିନିଦିନ ବନ୍ଦ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button