ବିହାରରେ ଶପଥ ନେଲା ମହାମେଣ୍ଟ ସରକାର: ନୀତୀଶ ମୁଖ୍ୟମନ୍ତ୍ରୀ, ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ

ପାଟନା: ଏନ୍‌ଡିଏରୁ ଓହରିବାର ଦିନକପରେ ଅର୍ଥାତ୍ ବୁଧବାର ଜେଡିୟୁ ନେତା ନୀତୀଶ କୁମାର ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ଏଥରକୁ ମିଶାଇ ନୀତିଶ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ଏଥର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ କଂଗ୍ରେସ ସମେତ ୭ଟି ଦଳ ସହ ଜେଡିୟୁ ହାତ ମିଳାଇଥିବାବେଳେ ରାଜ୍ୟରେ ପୁଣିଥରେ ମହାମେଣ୍ଟ ସରକାର ଦେଖିବାକୁ ମିଳିଛି । ଅପରପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଫଗୁ ଚୌହ୍ୱାନ ଉଭୟ ନୀତୀଶ ଓ ତେଜସ୍ୱୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଅଗଷ୍ଟ ୧୫ ପରେ କ୍ୟାବିନେଟ୍‌ର ସଂପ୍ରସାରଣ କରାଯିବ ବୋଲି ନୀତୀଶ ସୂଚନା ଦେଇଛନ୍ତି । ଶପଥଗ୍ରହଣ ପରେ ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରିଥିବାବେଳେ ନୀତୀଶଙ୍କ ପାଦ ଛୁଇଁ ତେଜସ୍ୱୀ ଆଶୀର୍ବାଦ ଭିକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା । ବିହାର ବିଧାନସଭାରେ ମୋଟ ୨୪୩ ଆସନ ମଧ୍ୟରୁ ସର୍ବାଧିକ ୭୫ ବିଧାୟକଙ୍କ ସହ ଆରଜେଡି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତାଲାଭ କରୁଛି । ଏହାପଛକୁ ବିଜେପିର ୭୪ ବିଧାୟକ ଥିବାବେଳେ ଜେଡିୟୁର ୪୩ ଓ କଂଗ୍ରେସର ୧୯ ବିଧାୟକ ରହିଛନ୍ତି । ଏହି ଦୃଷ୍ଟିରୁ ଆରଜେଡିକୁ ମନ୍ତ୍ରିମଣ୍ଡଳରେ ସିଂହଭାଗ ମିଳିବ ବୋଲି ରାଜନୈତିକ ମହଲ ଆଶା କରୁଛନ୍ତି । ତେବେ କେଉଁ ଦଳକୁ କେତେ ମନ୍ତ୍ରୀପଦ ମିଳିବ, ସେ ନିଷ୍ପତ୍ତି ନୀତୀଶ ନେବେ ବୋଲି ତେଜସ୍ୱୀ କହିଛନ୍ତି । ସୂଚନାଯୋଗ୍ୟ ବିହାରରେ ଦ୍ୱିତୀୟ ଥର ମହାମେଣ୍ଟ ସରକାର ଗଠିତ ହୋଇଛି । ୨୦୧୫ ବିଧାନସଭା ନିର୍ବାଚନ ପରେ ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ପ୍ରଥମ ମହାମେଣ୍ଟ ସରକାର ଗଠିତ ହୋଇଥିଲା । ତେବେ ୨୦୧୭ ଜୁଲାଇରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଗତ ହେବାପରେ ତାଙ୍କୁ ଇସ୍ତଫା ଦେବାକୁ ନୀତୀଶ ନିର୍ଦ୍ଦେଶ ଦେଇଥିଲେ । ତେଜସ୍ୱୀ ଏଥିପ୍ରତି କର୍ଣ୍ଣପାତ ନକରିବାରୁ କ୍ଷୁବ୍ଧ ନୀତୀଶ ମହାମେଣ୍ଟରୁ ଓହରିଯାଇ ପୁଣି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଥିଲେ । ବୁଧବାର ସକାଳେ ଶପଥଗ୍ରହଣ ପୂର୍ବରୁ ନୀତୀଶ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ନୀତୀଶ ରାଜ୍ୟରେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ଲାଲୁଙ୍କୁ ଅବଗତ କରିଥିଲେ । ଶପଥ ନେବାପରେ ନୀତୀଶ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ଆସନ ଦଖଲ କରିଥିବା ବ୍ୟକ୍ତି ୨୦୨୪ରେ ଏହାର ପୁନରାବୃତ୍ତି କରିପାରିବେ କି ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହନ୍ତି ବୋଲି ନୀତୀଶ ସ୍ପଷ୍ଟ କରିଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଏକଜୁଟ ହେବାକୁ ନୀତୀଶ ସବୁ ବିରୋଧୀ ଦଳଙ୍କୁ ଆହ୍ୱାନ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button