କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି: ୫ ରାଜ୍ୟର ୧୫ ଜନଜାତି ଅନୁସୂଚିତ ଜନଜାତିରେ ସାମିଲ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୁଧବାର ଗଣ୍ଡ ଏବଂ ହଟ୍‌ଟୀ ପରି ଜାତିଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି । କ୍ୟାବିନେଟ୍ ୫ ରାଜ୍ୟ ଛତିଶଗଡ଼, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶରେ ୧୫ ଜନଜାତି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହି ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଦେଶରେ ଅନୁସୂଚିତ ଜନଜାତି ସଂଖ୍ୟା ୭୦୫ରୁ ବୃଦ୍ଧିପାଇ ୭୨୦ ହୋଇଛି । ୨୦୧୧ ଜନଗଣନା ଅନୁସାରେ ଦେଶରେ ଅନୁସୁଚିତ ଜନଜାତିଙ୍କ ସଂଖ୍ୟା ୧୦.୪୩ କୋଟି, ଯାହା ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ । ବୈଠକ ଅବସରରେ ଉତ୍ତର ପ୍ରଦେଶର ରବିଦାସ ନଗରର ନାମ ବଦଳାଇ ଭଦୋଇ କରାଯାଇଛି । ଗଣ୍ଡ ଜାତିର ୫ ଉପଜାତି ଧୂରିଆ, ନାୟକ, ଓଝା, ପଠାରୀ ଏବଂ ରାଜଗଣ୍ଡଙ୍କୁ ମଧ୍ୟ ଅନୁସୂଚିତ ଜନଜାତିରେ ସାମିଲ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ବୈଠକ ପରେ ମିଡିଆକୁ କହିଛନ୍ତି, ଏହି ନିଷ୍ପତ୍ତି ପରେ ହିମାଚଳ ପ୍ରଦେଶର ସିରମୌରର ଟ୍ରାନ୍ସ-ଗିରି ଅଞ୍ଚଳରେ ବସବାସ କରୁଥିବା ହଟ୍ଟୀ ସମ୍ପ୍ରଦାୟର ପ୍ରାୟ ୧.୬୦ ଲକ୍ଷ ଲୋକଙ୍କୁ ଲାଭ ହେବ । ସେହିପରି ଛତିଶଗଡ଼ର ବୃଜିୟା ସମ୍ପ୍ରଦାୟ ଏବଂ ତାମିଲନାଡ଼ୁର ପାହାଡିଆ ଅଞ୍ଚଳରେ ରହୁଥିବା ସବୁଠୁ ବଞ୍ଚିତ ଏବଂ ଦଳିତଙ୍କ ମଧ୍ୟରେ ଅନ୍ୟତମ ନାରିକୁରାଭର୍ ସମ୍ପ୍ରଦାୟ (କୁରୁଭିକ୍କରନ୍ ଜନଜାତି) ମଧ୍ୟ ଲାଭାନ୍ୱିତ ହେବେ ।
କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚରେ ଏ ପ୍ରସଙ୍ଗ ସମ୍ବନ୍ଧୀୟ ବିଧେୟକ ଲୋକସଭାରେ ଉପସ୍ଥାପନ କରିଥିଲେ । ଯେଉଁଥିରେ ଉତ୍ତର ପ୍ରଦେଶର ଗଣ୍ଡ, ଧୂରିଆ, ନାୟକ, ଓଝା, ପଠାରୀ ଓ ରାଜଗଣ୍ଡ ଜାତିକୁ ଅନୁସୂଚିତ ଜାତିର ମାନ୍ୟତା ଦେବାକୁ ଥିବା ଏହି ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଥିଲା । ତେବେ ସେତେବେଳେ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇପାରି ନଥିଲା । ଏପରି ସ୍ଥିତିରେ କେନ୍ଦ୍ର କ୍ୟାବିନେଟ୍‌ରେ ଏହାକୁ ପାରିତ କରିବାର ନିଷ୍ପତ୍ତି ନିଆଯାଇଛି ।

Related Articles

Leave a Reply

Your email address will not be published.

Back to top button