ଡେଙ୍ଗୁ ଓ ମ୍ୟାଲେରିଆରୁ ବର୍ତ୍ତିବାକୁ ଚାହୁଁଥିଲେ….

ବର୍ଷାଋତୁ ଆରମ୍ଭ ହୋଇଯାଇଛି । ଏବେ ଚାରିଆଡ଼େ ଡେଙ୍ଗୁ ଆତଙ୍କ । ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି । ମଶାଙ୍କୁ ମାରିବା ପାଇଁ ବଜାରରେ ଅନେକ ପ୍ରକାର ଔଷଧ କିମ୍ୱା ସ୍ପ୍ରେ ମିଳେ । ଏଥିରେ ମଶା ମରିଯାନ୍ତି ସତ । କିନ୍ତୁ, ଏହି ଔଷଧରେ ବିଭିନ୍ନ କେମିକାଲ୍ ମିଶୁଥିବାରୁ ଏହା ଶରୀର ଉପରେ ବେଶ୍ ପ୍ରଭାବ ପଡ଼େ । ବିଶେଷ କରି ଛୋଟପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ରହିଛି କିଛି ଘରୋଇ ସମାଧାନ । ଯାହା ମଶାଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରିବ ।

ରସୁଣ- ଖଣ୍ଡିଏ ରସୁଣ ବି ଖୁବ୍ ଜୋରରେ ଗନ୍ଧାଏ । ଏହାର ଗନ୍ଧ ମଶାମନେ ସହ୍ୟ କରିପାରନ୍ତି ନାହିଁ । ଘର କୋଣମାନଙ୍କରେ ମଶାଙ୍କ ପ୍ରାଦୁର୍ଭାବ ବିଶେଷ ଥାଏ । ତେଣୁ ଏହି ସ୍ଥାନଗୁଡ଼ିକରେ ରସୁଣର ଗୋଟିଏ ଲେଖାଏଁ ପାଖୁଡ଼ା ଛଡ଼ାଇ ରଖିଦିଅନ୍ତୁ । ଏହାଦ୍ୱାରା ଘରେ ମଶା କମ୍ ହୋଇଯିବେ । ଅଧିକ ମଶା କାମୁଡ଼ୁଥିଲେ, ଖାଦ୍ୟରେ ରସୁଣ ସାମିଲ କରନ୍ତୁ ।

ତୁଳସୀ ପତ୍ର- ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ । ଏହାର ପତ୍ର ବେଶ୍ ଉପକାରୀ । ତୁଳସୀ ପତ୍ରର ବାସ୍ନାରେ ମଶା ଦୂରେଇ ଯାଆନ୍ତି । କେବଳ ଏତିକି ନୁହେଁ, ତୁଳସୀ ପତ୍ରକୁ ଛେଚି ଏବାର ରସକୁ ଛୋଟପିଲାଙ୍କ ପୋଷାକରେ ସିଞ୍ଚନ କଲେ ମଶା ଆସନ୍ତିନି । ମଶାଙ୍କୁ ଘଉଡ଼ାଇବାର ଏହି ଉପାୟ ସବୁଠାରୁ ସୁରକ୍ଷିତ ଓ ଫଳପ୍ରଦ ।

ପୋଦିନା- ପୋଦିନା ପତ୍ର ଖୁବ୍ ବାସ୍ନା ହୁଏ । ମଶା ଏହି ବାସ୍ନାକୁ ପସନ୍ଦ କରନ୍ତି ନାହିଁ । ପୋଦିନା ପତ୍ରକୁ ଅନେକ ପାନୀୟରେ ବ୍ୟବହାର କରାଯାଏ । ଏହାକୁ ମଶା ଘଉଡ଼ାଇବାରେ ମଧ୍ୟ ବ୍ୟବହାର କରାଯାଏ । ପୋଦିନା ରସରେ ମଧ୍ୟ ମଶା ଦୂରେଇଯାଆନ୍ତି ।

ଲେମନ୍ ଗ୍ରାସ୍- ଅନେକ ଲୋକ ବଗିଚାରେ ଲେମନ୍ ଗ୍ରାସ୍‌ ଲାଗାଇଥାନ୍ତି । ମଶାଙ୍କୁ ଏହାର ବାସ୍ନା ପସନ୍ଦ ନୁହଁ । ଏହି ବାସ୍ନାରେ ମଶା ଦୂରେଇଯାଆନ୍ତି । ଏହା ଇନଡୋର ପ୍ଲାଣ୍ଟ ହୋଇଥିବାରୁ ଏହି ଗଛକୁ ଘରେ ମଧ୍ୟ ଲଗାଯାଇପାରିବ । ଘରେ ଅଧିକ ମଶା ହେଉଥିଲେ ଘରେ ଏହି ଗଛ ଲଗାନ୍ତୁ ।

ନିମ୍ୱପତ୍ର- ଘରେ ଶୁଖିଲା ନିମ୍ୱପତ୍ରକୁ ଜଳାନ୍ତୁ । ଏଥିରୁ ନିର୍ଗତ ଧୂଆଁରେ ମଶା ଦୂରେଇଯାଆନ୍ତି । ନିମ୍ୱପତ୍ରର ତେଲ ଦେହରେ ଲଗାଇଲେ ମଶା କାମୁଡ଼ନ୍ତି ନାହିଁ ।

Related Articles

Leave a Reply

Your email address will not be published.

Back to top button