ଦେହ ଗନ୍ଧାଉଥିଲେ…

ଭୁବନେଶ୍ୱର:  ଖରା ଦିନକୁ ଦିନ ପ୍ରଖର ହେବାରେ ଲାଗିଛି। ଏମିତିରେ ସଭିଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁଛି। ହେଲେ କାହା କାହାଠାରେ ଏହି ଝାଳ ଖୁବ୍‌ ଗନ୍ଧ ହୋଇଥାଏ, ଯାହାକୁ ଦୂର କରିବା ଲାଗି ସେମାନେ ପର୍‌ଫ୍ୟୁମ୍‌, ଡିଓଡରାଣ୍ଟ, ପାଉଡର ଆଦି ବ୍ୟବହାର କରନ୍ତି। ଯଦି ଆପଣଙ୍କର ବି ଏଭଳି ସମସ୍ୟା ରହିଛି ତେବେ କେତେକ ଘରୋଇ ଉପଚାର ଦ୍ୱାରା ଉପକୃତ ହୋଇପାରିବେ।

ପ୍ରତିଦିନ ଗାଧାନ୍ତୁ: ପ୍ରତିଦିନ ଭଲ ଭାବେ ଗାଧୋଇବା ସହ ନିଜ ପୋଷାକପତ୍ରକୁ ମଧ୍ୟ ସଫା ରଖନ୍ତୁ। କାରଣ ବାସ୍ତବରେ ଝାଳର କୌଣସି ଗନ୍ଧ ନ ଥାଏ। ହେଲେ ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ହେବା ଦ୍ୱାରା ଝାଳଗନ୍ଧ ଆରମ୍ଭ ହୋଇଥାଏ। ତେଣୁ ଭଲ ଭାବେ ଗାଧୋଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି ହୋଇ ନ ଥାଏ ଏବଂ ଝାଳଗନ୍ଧ ମଧ୍ୟ ହୋଇ ନ ଥାଏ।

ନଡ଼ିଆ ତେଲ ଉପକାରୀ: ଗାଧୋଇବା ପରେ ଅଳ୍ପ ନଡ଼ିଆ ତେଲ ଲଗାଇଲେ ଉପକୃତ ହେବେ। କାରଣ ଏଥିରେ ଥିବା ଆଣ୍ଟିମାଇକ୍ରୋବାୟାଲ୍‌ ତତ୍ତ୍ୱ ଶରୀରରେ ବ୍ୟାକ୍ଟେରିଆ ଉତ୍ପନ୍ନ ହେବାକୁ ଦେଇ ନ ଥାଏ। ଫଳରେ ଝାଳଗନ୍ଧ ହୋଇ ନ ଥାଏ। ନଡ଼ିଆ ତେଲ ବ୍ୟତୀତ ଆପଣ ଅନ୍ୟ ଆରୋମା ଅଏଲ୍‌ ମଧ୍ୟ ବ୍ୟବହାର କରିପାରିବେ।

ଗନ୍ଧରୁ ଦୂରେଇ ରଖିବ ଗୋଲାପ ଜଳ: ଗାଧୁଆ ପାଣିରେ କିଛି ଗୋଲାପ ଜଳ ମିଶାଇ ପ୍ରତିଦିନ ଗାଧୋଇବା ଦ୍ୱାରା ଝାଳଗନ୍ଧ ଦୂର ହୋଇଥାଏ। ତୁଳାରେ କିଛି ଗୋଲାପ ଜଳ ନେଇ ଝାଳ ହେଉଥିବା ସ୍ଥାନରେ ଲଗାଇପାରିବେ କିମ୍ବା ସ୍ପ୍ରେ କରିବା ଦ୍ୱାରା ଏହା ଶରୀରକୁ ପ୍ରାକୃତିକ ସୁଗନ୍ଧ ଦେବାରେ ସାହାଯ୍ୟ କରିବ।

କଞ୍ଚାଆଳୁ ହଟାଇବ ଗନ୍ଧ: ଝାଳଗନ୍ଧ ନ ହେବା ଲାଗି କଞ୍ଚାଆଳୁ ଆପଣଙ୍କୁ ବେଶ୍‌ ସାହାଯ୍ୟ କରିବ। କଟା କଞ୍ଚାଆଳୁକୁ କାଖରେ ଘଷନ୍ତୁ। ପ୍ରତିଦିନ ଏପରି କଲେ କିଛିଦିନ ମଧ୍ୟରେ ଧୀରେ ଧୀରେ ଆପଣ ଝାଳଗନ୍ଧ ଦୂର ହୋଇଥିବା ଅନୁଭବ କରିପାରିବେ।

ଫିଟିକିରି, ପୋଦିନା ବି ଲାଭଦାୟକ: ପ୍ରତିଦିନ ଗାଧୋଇବା ପାଣିରେ ଖଣ୍ଡେ ଫିଟିକିରି ଏବଂ କିଛି ପୋଦିନା ପତ୍ର ପକାଇ ଗାଧାନ୍ତୁ। କିଛିଦିନ ଏପରି ପାଣିରେ ଗାଧୋଇବା ଅଭ୍ୟାସ କରନ୍ତୁ। ଦେଖିବେ ଝାଳଗନ୍ଧ ଖୁବ୍‌ଶୀଘ୍ର ଦୂର ହୋଇଯିବ।

ଲେମ୍ବୁ, ନିମ୍ବ ଦେବ ଗନ୍ଧରୁ ମୁକ୍ତି: କାଖରେ ଖଣ୍ଡେ ଲେମ୍ବୁ ଘଷିବା ଦ୍ୱାରା ଝାଳଗନ୍ଧ ହୋଇ ନ ଥାଏ। ସେହିପରି ନିମ୍ବପତ୍ର ବଟା କାଖରେ ଲଗାଇଲେ ବ୍ୟାକ୍ଟେରିଆ ମରିଯିବା ଦ୍ୱାରା ଏହି ଗନ୍ଧ ଦୂର ହୋଇଥାଏ।

Related Articles

Leave a Reply

Your email address will not be published.

Back to top button