ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି । ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିବାକୁ ଥିବା ଉତ୍ସବର ବୁଧବାର ଥିଲା ଉଦ୍‌ଘାଟନୀ ସନ୍ଧ୍ୟା । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟକୁ ଗୋଟିଏ ମଞ୍ଚରେ ଦେଶ ତଥା ଦେଶ ବାହାରୁ ଆସୁଥିବା ନୃତ୍ୟଶିଳ୍ପୀଙ୍କୁ ଉପସ୍ଥାପନ କରାଇବା ସହିତ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା ।
ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା – ଶ୍ରୀ ରୁଦ୍ରାଷ୍ଟକମ୍‌, ଯାହାକୁ ପରିବେଷଣ କରିଥିଲେ ପ୍ରଦୀପ କୁମାର ଦାସ ଓ ସାଥୀ । ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ନୂଆଦିଲ୍ଲୀରୁ ଆସିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ । ତାଙ୍କର ପରିବେଷଣରେ ଥିଲା ଅଭିଶପ୍ତା କେତକୀ ଯାହାର ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପାଲିତ୍ ଓ ନୃତ୍ୟ ସରଞ୍ଚନା ନିଜେ କବିତା ଦ୍ୱିବେଦୀ କରିଥିଲେ । ପରେପରେ ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଆସିଥିବା ଶୋଭା ବିସିତ୍ ଓ ଦୀପିକା ବିସିତ୍‌ଙ୍କ ଦ୍ୱାରା ପ୍ରଥମେ ଶିବଙ୍କ ଉପରେ ନିବଦ୍ଧ ନଟରାଜ ପରିବେଷଣ କରିଥିଲେ ଯାହାର ନୃତ୍ୟ ସରଂଚନା କରିଥିଲେ ଗୁରୁ ମାଧବୀ ମୁଦ୍‌ଗଲ୍‌, ପରେ ପରେ କାଳୀଦାସଙ୍କ ରଚିତ ଅଭିନୟ ବସନ୍ତ ପରିବେଷଣ କରିଥିଲେ । ତାଙ୍କର ଅନ୍ତିମ ଅର୍ଘ୍ୟରେ ଥିଲା ପଲ୍ଲବୀ ଯାହା ରାଗ ଗୁଣ୍ଡକେମର ଓ ତାଳ ତ୍ରୀପଟା ଉପରେ ନିବଦ୍ଧ ଥିଲା । ଶେଷ କାର୍ଯ୍ୟକ୍ରମ ଥିଲା ବେଙ୍ଗାଲୁରୁରୁ ଆସିଥିବା ମଧୁଲିତା ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟାନ୍ତର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ । ସେମାନେ ପ୍ରଥମେ ଈଶ୍ୱରୀ ଓ ପରେ ପରେ ମହ୍ଲାର ପଲ୍ଲବୀ ପରିବେଷଣ କରିଥିଲେ ଯାହାର ନୃତ୍ୟ ସରଂଚନା କରିଥିଲେ ଗୁରୁ ମଧୁଲିତା ମହାପାତ୍ର ଯାହାକୁ ଦର୍ଶକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ଉପଭୋଗ କରିଥିଲେ । ଉଦ୍‌ଘାଟନୀ ସନ୍ଧ୍ୟାର ଅତିଥିଭାବେ ଭିନ୍ନକ୍ଷମ, ସାମାଜିକ ସୁରକ୍ଷା, ସଶକ୍ତୀକରଣ, ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରା, ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡ଼. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ୍ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button