ରଥଯାତ୍ରାର ବିଭିନ୍ନ ନାମ

ସାରା ବିଶ୍ୱରେ ପାଳିତ ହୁଏ ରଥଯାତ୍ରା କିନ୍ତୁ ପୁରୀରେ ପାଳନ ହେଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନ୍ୟତମ । ପ୍ରତିବର୍ଷ ପୁରୀରେ ହେଉଥିବା ରଥଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଆସନ୍ତି । ପୁରାଣ ସମୟରେ ରଥାଯାତ୍ରା ପାଳନ କରାଯାଉଥିବାର ଦୃଷ୍ଟାନ୍ତ ରହିଛି । ବ୍ରହ୍ମପୁରାଣ, ସ୍କନ୍ଧପୁରାଣ, ପଦ୍ମପୁରାଣରେ ରଥଯାତ୍ରାର ବିସ୍ତୃତ ବର୍ଣ୍ଣନା ରହିଛି । ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସର୍ବଶ୍ରେଷ୍ଠ ଓ ସର୍ବପୁରାତନ । ଉକ୍ରଳର ଐତିହ୍ୟ ଓ ସଂସ୍କୃତି ସହ ଜଡ଼ିତ ରଥଯାତ୍ରା । ରଥଯାତ୍ରାର ଅନେକ ନାମ ରହିଛି । ଯେପରି ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ଘୋଷ ଯାତ୍ରା । ଆସନ୍ତୁ ଜାଣିବା ରଥଯାତ୍ରାର ବିଭିନ୍ନ ନାମ ଦେବାର ସାର୍ଥକତା କ’ଣ ।

ଗୁଣ୍ଡିଚା ଯାତ୍ରା
ଗୁଣ୍ଡିଚା ଦେବୀ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କ ସହଧର୍ମିଣୀ । ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ନୀଳାଦ୍ରୀରେ ପ୍ରତିଷ୍ଠା କରିସାରିବା ପରେ ଗୁଣ୍ଡିଚା ଦେବୀ ରଥଯାତ୍ରାର ଆୟୋଜନ କରିଥିଲେ । ତେଣୁ ଗୁଣ୍ଡିଚା ଦେବୀଙ୍କୁ ମନେ ରଖିବା ପାଇଁ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଯେଉଁ ସ୍ଥାନକୁ ଯାଆନ୍ତି ତାକୁ ଗୁଣ୍ଡିଚାଘର ଓ ଯେଉଁ ମଣ୍ଡପରେ ଅବସ୍ଥାନ କରନ୍ତି ତାହାକୁ ଗୁଣ୍ଡିଚା ମଣ୍ଡପ କୁାହଯାଏ । ଗୁଣ୍ଡିଚା ଘର ସହିତ ଜଗନ୍ନାଥଙ୍କ ସମ୍ପର୍କ ଅତି ଘନିଷ୍ଠ ।

ପତିତପାବନ ଯାତ୍ରା
ଜଗନ୍ନାଥଙ୍କ ଆଉ ଏକ ନାମ ହେଲା ପତିତପାବନ । ତାଙ୍କ ଆଗରେ ଦୀନ, ହୀନ, ଦୁଃଖ, ରଙ୍କି ସମସ୍ତେ ସମାନ । ଯେଉଁମାନଙ୍କୁ ଜଗନ୍ନାଥ ମନ୍ଦିରକୁ ପ୍ରବେଶ ଉପରେ କଟକଣା ରହିଛି, ସେମାନଙ୍କୁ ଦର୍ଶନ ଦେବା ପାଇଁ ରଥଯାତ୍ରା ସମୟରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ମହାପ୍ରଭୂ । ଯେଉଁ ବିଗ୍ରହକୁ କେବଳ ସେବାୟତ ମାନେ ଛୁଇଁବାର ଅଧିକାର ରହିଛି ରଥଯାତ୍ରାରେ ସମସ୍ତେ ତାଙ୍କୁ ଛୁଇଁପାରନ୍ତି । ଶ୍ରଦ୍ଧାଳୁ ରଥାଯାତ୍ରାରେ ଭଗବାନଙ୍କୁ ଦେଖିବା ସହ ଆଲିଙ୍ଗନ କରି ଜନ୍ମଜନ୍ମର ପାପ ଧୋଇ ଦିଅନ୍ତି । ଏହା ବ୍ୟତୀତ ସମାଜ ଆଗରେ ଯେଉଁମାନେ ପତିତ, ଯେଉଁମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାର ଅଧିକାର ନାହିଁ, ଶ୍ରୀଜଗନ୍ନାଥ ବଡ଼ଦାଣ୍ଡରେ ସେମାନଙ୍କୁ ଆଲିଙ୍ଗନ କରି ପତିତପାବନ ନାମକୁ ସାର୍ଥକ କରନ୍ତି ।

ଦଶାବତାର ଯାତ୍ରା
ଜଗନ୍ନାଥ ମହାପ୍ରଭୂ କେବଳ ଉତ୍କଳର ଆରାଧ୍ୟ ଦେବତା ନୁହଁନ୍ତି । ଦେଶ ବିଦେଶ, କୋଣଅନୁକୋଣରେ ମହାପ୍ରଭୂଙ୍କର ଯାତ୍ରା ହୁଏ । ଭକ୍ତକବି ଜୟଦେବ ଓ ଦାସିଆ ବାଉରୀ ପ୍ରମୁଖ ଭକ୍ତଗଣ ଜଗନ୍ନାଥଙ୍କର ଦାଶାବତାର ରୂପ ଦର୍ଶନ କରିଥିଲେ ବୋଲି ଓଡ଼ିଶାବାସୀ ବିଶ୍ୱାସ କରନ୍ତି । ତେଣୁ ରଥଯାତ୍ରାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଏ ।

ଆଡ଼ପ ଯାତ୍ରା

ଆଡ଼ପ ଶବ୍ଦର ଅର୍ଥ ହେଲା ଆଦି ବା ମୂଳ । ପ୍ରଥମେ ଇନ୍ଦ୍ରଦ୍ୟୁମ୍ନ ଯେଉଁଠାରେ ଶ୍ରୀଜୀଉଙ୍କୁ ପ୍ରତିଷ୍ଠା କରିଥିଲେ ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । ତେଣୁ ଆଡ଼ପ ମଣ୍ଡପ ଶ୍ରୀଜୀଉଙ୍କ ଜନ୍ମଭୂମି । ବର୍ଷକରେ ଥରେ ଜଗନ୍ନାଥ ଶ୍ରୀବିଗ୍ରହକୁ ଜନକପୁରୀ ଆଣିବା ପାଇଁ ଯେଉଁ ଯାତ୍ରା ହୁଏ ତାକୁ ରଥଯାତ୍ରା ବା ଆଡ଼ପ ଯାତ୍ରା କୁହାଯାଏ ।

ଘୋଷ ଯାତ୍ରା
ଜଗତର ମଙ୍ଗଳ ପାଇଁ ଯେଉଁ ଯାତ୍ରା ଅନୁଷ୍ଠିତ ହୁଏ ତାକୁ ଘୋଷଯାତ୍ରା କୁହଯାଏ । ଓଡ଼ିଶାବାସୀ ବିଶ୍ୱାସ କରନ୍ତି ରଥଯାତ୍ରା ସମୟରେ ଭଗବାନଙ୍କୁ ରଥ ଉପରେ ଦର୍ଶନ କଲେ ସମସ୍ତ ପାପ ଧୋଇ ହୋଇ ମଙ୍ଗଳ ହୋଇଥାଏ । ରଥଯାତ୍ରା ଦିନ ଯାତ୍ରାର ମଙ୍ଗଳରୋପଣ ସମୟରେ ଜଗତର ମଙ୍ଗଳ ରୋପଣ ପାଇଁ ପତି ମହାପାତ୍ର ବା ବିଦ୍ୟାପତି ଉଚ୍ଚ ସ୍ୱରରେ ଘୋଷଣା କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button