ଡେଙ୍ଗୁ ସତର୍କତା

ଭୁବନେଶ୍ବର: ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ଜ୍ୱର ବ୍ୟାପୁଥିବାର ଦେଖିବାକୁ ମିଳୁଛି। ମଶା ଦ୍ୱାରା ବ୍ୟାପୁଥିବା ଏହି ମାରାତ୍ମକ ରୋଗର ଚିକିତ୍ସା ବି କଷ୍ଟକର। ଏମିତିରେ ଏହି ରୋଗଠୁ ଦୂରେଇ ରହିବା ଲାଗି କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ। ରୋଗର ବାହକ ହେଉଛି ଏଡିସ୍‌ ମଶା। ତେଣୁ ପ୍ରଥମେ ଏହି ମଶାର ବଂଶବୃଦ୍ଧି ରୋକିବାକୁ ଚେଷ୍ଟା କରନ୍ତୁ। ଅଧିକାଂଶ ଯୁବପିଢ଼ି ପ୍ଲାଷ୍ଟିକ୍‌ ବୋତଲ, ଆଇସ୍‌କ୍ରିମ୍‌ କପ୍‌, ଚିପ୍ସ ଜରି, ପଲିଥିନ୍‌, ଫୁଡ୍‌ କଣ୍ଟେନର୍‌ ଆଦି ଏଣେତେଣେ ଫିଙ୍ଗି ଦିଅନ୍ତି, ଯେଉଁଥିରେ ବର୍ଷାପାଣି ଜମି ରହିବା ସହ ମଶା ହୋଇଥାଏ। ତେଣୁ ଘର ଭିତରେ କିମ୍ବା ବାହାରେ ପାଣି ଜମି ରହୁଥିବା ସ୍ଥାନକୁ ଭଲଭାବେ ସଫା କରିଦିଅନ୍ତୁ। ଝରକା ଖୋଲାରଖି ପ୍ରାକୃତିକ ପବନର ମଜା ନେବାକୁ ସମସ୍ତେ ଭଲ ପାଆନ୍ତି, ହେଲେ ବର୍ଷାଦିନେ ଅଧିକ ମଶା ହେଉଥିବାରୁ ଝରକା ବନ୍ଦ ରଖନ୍ତୁ କିମ୍ବା ଘରକାରେ ନେଟ୍‌ ନିଶ୍ଚୟ ଲଗାନ୍ତୁ ଯେପରି ମଶା ଘର ଭିତରକୁ ଆସିବେ ନାହିଁ। ଯୁବପିଢ଼ି ଶର୍ଟ ଏବଂ ସ୍ଲିଭ୍‌ଲେସ୍‌ ଟ୍ରେଣ୍ଡି ଡ୍ରେସ୍‌ ଅଧିକ ପସନ୍ଦ କରନ୍ତି। ହେଲେ ମଶା କାମୁଡ଼ାରୁ ରକ୍ଷା ପାଇବା ଲାଗି ଯଥାସମ୍ଭବ ଫୁଲ ହ୍ୟାଣ୍ଡ ଶାର୍ଟ ଏବଂ ଫୁଲ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। କଲେଜ, କୋଚିଂ କିମ୍ବା ଅଫିସ୍‌ରେ ମଶା ହେଉଥିଲେ ଫୁଲ୍‌ ଜୋତା ମଧ୍ୟ ବ୍ୟବହାର କରନ୍ତୁ, ଯେପରି ପାଦକୁ ମଶା କାମୁଡ଼ିପାରିବେ ନାହିଁ। ମଶାରି ଭିତରେ ଶୋଇବା ଆଦୌ ପସନ୍ଦ ନୁହେଁ । ହେଲେ ବ୍ୟାପୁଥିବା ଡେଙ୍ଗୁ ରୋଗର ଭୟାବହତାକୁ ଆଖିଆଗରେ ରଖି ଘରେ ଶୋଇବା ବେଳେ ମଶାରି ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଘରକୁ ସନ୍ତସନ୍ତିଆ ଏବଂ ଅନ୍ଧାରିଆ ନ ରଖିବାକୁ ଚେଷ୍ଟା କରନ୍ତୁ। ଦିନବେଳା ଘରେ ସୂର୍ଯ୍ୟକିରଣ ପଡ଼ିଲେ ଖୁବ୍‌ ଭଲ। ସେହିପରି ପବନ ଚଳାଚଳ ହୋଇ ସମସ୍ତ ଜିନିଷପତ୍ର ଶୁଖିଲା ରହିବା ବି ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ମଶା ହେବେ ନାହିଁ। ସ୍ଥଳେ ମସ୍କ୍ବିଟୋ ରିପେଲେଣ୍ଟ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ମଶା କାମୁଡ଼ାରୁ ସୁରକ୍ଷା ଦେଇପାରିବ।

Related Articles

Leave a Reply

Your email address will not be published.

Back to top button