ଛତା କିଣିବା ପୂର୍ବରୁ…

ଆରମ୍ଭ ହୋଇଯାଇଛି ବର୍ଷାଦିନ। ଏବେ ପ୍ରାୟ ସଭିଙ୍କୁ ଲୋଡ଼ା ଛତା। ମାର୍କେଟ୍‌ରେ ମଧ୍ୟ ବିକ୍ରି ହେଲାଣି ବହୁ ସଂଖ୍ୟାରେ ଭଳିକି ଭଳି ରଙ୍ଗିନ ଛତା। ହେଲେ ଛତା କିଣିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।

ବର୍ଷା ପାଣିରୁ ସୁରକ୍ଷା ଦେବା ଲାଗି ଛତା ବ୍ୟବହାର କରାଯାଏ। ହେଲେ କେବେ କେବେ ସୁନ୍ଦର ଏବଂ ଆକର୍ଷଣୀୟ ରଙ୍ଗ ଲୋଭରେ ଆମେ ଏଭଳି ଛତା କିଣିଆଣୁ ଯାହା ବର୍ଷା ବେଳେ ଭିଜିଯାଇ ପାଣି ପଡ଼ି ଆମକୁ ଓଦା ହେବାକୁ ପଡ଼ିଥାଏ। ତେଣୁ ଛତା କିଣିବା ପୂର୍ବରୁ ପ୍ରଥମେ ଏହାକୁ ଖୋଲି ଏହାର ସିଲେଇ କିମ୍ବା କପଡ଼ାରେ କେଉଁଠି ସୂକ୍ଷ୍ମ ଛିଦ୍ର ଅଛି କି ନାହିଁ ଦେଖି ନିଅନ୍ତୁ। ସେହିପରି ଆମେ ଛତାର ହ୍ୟାଣ୍ଡେଲ୍‌ ସୁନ୍ଦର ହୋଇଥିବା ଦେଖି ମଧ୍ୟ କିଣିଦେଉ। ହେଲେ ବର୍ଷା ବେଳେ ଏହାକୁ ଧରିବା ଦ୍ୱାରା ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦିଏ। ତେଣୁ ଛତାର ହ୍ୟାଣ୍ଡେଲ୍‌ ଯେତେ ସୁନ୍ଦର ହୋଇଥାଉ ନା କାହିଁକି, ଏହାକୁ ଧରିବା ବେଳେ ଏହା ହାଲୁକା ଏବଂ କମ୍ଫର୍ଟେବଲ୍‌ ଲାଗୁଛି ନା ନାହିଁ ଦେଖନ୍ତୁ। ଛତାର କାଠିଗୁଡ଼ିକ ମଜଭୁତ କି ନୁହେଁ ପ୍ରଥମେ ଭଲ ଭାବେ ଦେଖନ୍ତୁ। ନଚେତ୍‌ ପବନରେ ଛତାର କାଠିଗୁଡ଼ିକ ଓଲଟି ଯିବାଦ୍ୱାରା ଭିଜିବାକୁ ପଡ଼ିପାରେ। ବ୍ୟାଗ୍‌ରେ ସହଜରେ କ୍ୟାରି କରିବା ଲାଗି ଫୋଲ୍ଡେଡ୍‌ ଛତା ଭଲ ଅପ୍ସନ। ହେଲେ ଏସବୁ ଶୀଘ୍ର ଭାଙ୍ଗିବାର ଆଶଙ୍କା ବି ରହିଛି। ତେଣୁ ଏଭଳି ଛତା କିଣିବା ପୂର୍ବରୁ ପ୍ରଥମେ ୪-୫ଥର ଖୋଲନ୍ତୁ ଏବଂ ବନ୍ଦ କରି ଦେଖନ୍ତୁ ଏହା ଭଲ ଭାବେ କାମ କରୁଛି କି ନାହିଁ। ମୁଖ୍ୟତଃ ତିନି ପ୍ରକାରର ଯଥା ମ୍ୟାନୁଆଲ୍‌, ସେମିଅଟୋମେଟିକ୍‌ ଏବଂ ଫୁଲ୍‌ଲି ଅଟୋମେଟିକ୍‌ ଛତା ମିଳୁଛି। ତେଣୁ ଆପଣଙ୍କ ସୁବିଧା ଅନୁସାରେ କେଉଁ ଛତା କିଣିବେ, ଭଲ ଭାବେ ଏହାର ବଟନ୍‌ କାମ କରୁଛି କି ନାହିଁ ଦେଖିବାକୁ ଭୁଲନ୍ତୁ ନାହିଁ।

Related Articles

Leave a Reply

Your email address will not be published.

Back to top button