ଦ୍ୱିତୀୟ ସମନ୍ୱୟ ବୈଠକରେ ନିଷ୍ପତ୍ତି: ରଥଯାତ୍ରାରେ ମୃତ୍ୟୁହେଲେ ୫ ଲକ୍ଷ ବୀମା

ଭୁବନେଶ୍ବର: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯଦି କୌଣସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୁଏ ତେବେ ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। ରଥ ଯାତ୍ରା ଉତ୍ସବ ସମୟ ଭିତରେ ଅର୍ଥାତ ଜୁନ ୨୬ ରୁ ୯ ଜୁଲାଇ ଭିତରେ ଯଦି କୌଣସି ଅଘଟଣରେ କାହାର ମୃତ୍ୟୁ ହୁଏ ବୀମା କମ୍ପାନୀ କ୍ଷତିପୂରଣ ରାଶି ପ୍ରଦାନ କରିବ। ତେବେ ଏହା ସମସ୍ତଙ୍କ ପାଇଁ ନୁହେଁ, କେବଳ ପୁରୀ ପୌରାଞ୍ଚଳବାସୀଙ୍କ ପାଇଁ ବୀମା ବ୍ୟସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସୋମବାର ପୂର୍ବାହ୍ଣରେ ଟାଉନ ହଲ ପରିସରରେ ଅନୁଷ୍ଠିତ ଚଳିତ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକରେ ଶ୍ରୀ ପାଢ଼ୀ ଏହି ସୂଚନା ଦେଇଛନ୍ତି। ବୈଠକରେ ରଥଯାତ୍ରା ନିମନ୍ତେ ରଥକାଠ ଯୋଗାଣ, ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ , ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରେନ ଚଳାଚଳ ବ୍ୟବସ୍ଥା,ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଚ୍ଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗମାନେ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ବୋଲି ସୂଚନା ଦେଇଥିଲେ। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ ମହାପ୍ରଭୁ ନିଜେ ନିଜ କାର୍ଯ୍ୟ କରନ୍ତି। ଆମେ କେବଳ ପରସ୍ପର ସହଯୋଗ କରନ୍ତି। ରଥଯାତ୍ରା ପାଇଁ ପ୍ରାୟ ୮୦ ଭାଗ କାର୍ଯ୍ୟ ସରିଲାଣି। ବାକି କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ହେବ। ସେହିପରି ଦେବସ୍ନାନ ପାଇଁ ସରକାର ଓ ପ୍ରଶାସନ ଚୂଡ଼।।ନ୍ତ ପ୍ରସ୍ତୁତି କରୁଛନ୍ତି ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ରଥଯାତ୍ରା ଏକ ସାମୂହିକ କାର୍ଯ୍ୟ। ପାରସ୍ପରିକ ସହଯୋଗର ସହ ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଏବଂ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଅନ୍ୟପକ୍ଷରେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ୩୦୦ ଡାକ୍ତର ନିୟୋଜିତ ହେବେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।ବୈଠକରେ ହୋଇଥିବା ଆଲୋଚନା ମୁତାବକ ରଥଯାତ୍ରା ସମୟରେ ୩୬୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର,୧୦ଟି ଏଟିଭି ମେସିନର ବ୍ୟବସ୍ଥା କରାଯିବ। ଏଆଇ ସିସିଟିଭି କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରାଯିବ। ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ସହ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ହୋଇ ୱାର ରୁମ୍ ହେବ। ସେହିପରି ୨୩୦ରୁ ୨୫୦ ଅଧିକ ବସ ଚଳାଚଳ କରିବ। ବୈଠକରେ ପଶ୍ଚିମ ଦ୍ୱାର ଦେଇ ପୁରୀ ବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଥିଲେ। ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି। ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି। ତାମିଲନାଡୁରୁ ଗ୍ରେଡ ‘ଏ’ ମାନର ଚନ୍ଦନ କାଠ ଆସିଛି। ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଥିବା ବୈଠକରେ ଆଲୋଚନା ହୋଇଥିଲା। ସେହିପରି ରଥଯାତ୍ରା ସମୟର ଆମ୍ବୁଲାନ୍ସ କରିଡ଼ର ହେବ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ। ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚ୍ର ବ୍ୟବସ୍ଥା କରାଯାଇଛି। ସହରରେ ୯୦ ପ୍ରତିଶତ ଡ୍ରେନ ସଫେଇ କାମ ସରିଛି। ପ୍ରତ୍ୟେକ ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି, ମଶା ଧୁଆଁ ସ୍ପ୍ରେ, ଷ୍ଟ୍ରିଟ୍ ଲାଇଟ୍ ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାଳବଣିଆରେ ମାଷ୍ଟର କଣ୍ଟ୍ରୋଲ ରୁମ୍ କରାଯିବ। ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୁତୟନ ରହିବ। ମାଳତୀପାଟପୁରରେ ଟୁରିଷ୍ଟ ବସ ଓ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରିବ।
ରଥଯାତ୍ରା ସମୟରେ ବିଭିନ୍ନ ପାର୍କିଂ ସ୍ଥାନରୁ ମାଗଣା ଅଟୋ ସେବା ଯୋଗାଯିବ। ସବୁ ବସରେ ରହିବ ରେଟ୍ ଚାର୍ଟ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର ,୧୧ଟି କ୍ରେନ୍ ନିୟୋଜିତ ହେବ। ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡି ୱାଲ୍ ବ୍ୟବସ୍ଥା ହେବ। ବଡ଼ଦାଣ୍ଡରେ ବିପଦ ଶଙ୍କୁଳ କୋଠା ଚିହ୍ନଟ କରାଯାଇଛି। ଖରା ଓ ଗୁଳୁଗୁଳି ପାଇଁ ଅଧିକ ସ୍ପ୍ରିଙ୍କିଲର ଓ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୁଲିସ ମୁତୟନ ହେବେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, କ୍ରିଡା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ତଥା ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଡିଜି ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ଥୀ ଏସ, ଆରଡିସି ବି ପରମେଶ୍ୱରନ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଦେବୋତ୍ତର କମିଶନର ଶିଶିର କୁମାର ରଥ, ଏସପି ବିନୀତ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।