ପ୍ରେରଣା ପାଲଟିଛନ୍ତି ଅର୍ଶିୟା ଗୌଡ

ଅବସାଦ ଏକ ମାନସିକ ରୋଗ ଯାହା ଜନ୍ମଦିଏ ଅନ୍ୟ କେତେକ ରୋଗଙ୍କୁ । ଅବସାଦରେ ମଣିଷ ଅନେକ ଚିନ୍ତା ବା ଦୁଃଖର ଗଭୀରତାରେ ବୁଡ଼ିଯାଏ । ଏଥିରେ ବ୍ୟକ୍ତିର ମନ ଓ ହୃଦୟରେ ଅଶାନ୍ତି ଛାଇ ହୋଇ ରହିଥାଏ । ରୋଗୀକୁ ଚାରିଆଡ଼େ ଅସଫଳତା ହିଁ ଅସଫଳତା ନଜର ଆସେ । ଏପରି ମାନସିକ ରୋଗରେ ଶୀଘ୍ର ମନୋଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ ।
ଅବସାଦ ଏକ ମନୋରୋଗ । ଅବସାଦ ହେଲେ ମଣିଷ ଉଦାସ ରହେ । ଯଦି ବି କିଛି ଭଲ ଘଟଣା ଘଟୁଥାଏ ତେବେ ମଧ୍ୟ ମଣିଷ ଖୁସି ଅନୁଭବ କରେନାହିଁ । ଆମେ ସାଧାରଣତଃ ଯେପରି ଭାବରେ ଉଦାସ ହୁଅନ୍ତି ଏହା ଅବସାଦର ଉଦାସପଣ ଠାରୁ ନିଶ୍ଚିତ ଭାବରେ ଅଲଗା । ଦୈନନ୍ଦିନ ଜୀବନରେ ସାଧାରଣ ଭାବରେ ଯେଉଁ ଉଦାସୀ ଦେଖାଦିଏ ଏହା ପଛରେ କୌଣସି ଉଚ୍ଚ-ନୀଚର କାରଣ ଥାଏ । କୌଣସି ଭଲ ଘଟଣା ଘଟିଲେ ମନ ଭଲ ହୋଇଯାଏ । କିନ୍ତୁ ଅବସାଦର ଉଦାସପଣ ଏପରି ଏକ ଅନୁଭବ ଏଥିରେ କୌଣସି ଉତ୍ସବ ହେଉ ବା ଖୁସିର ଅନ୍ୟ କୌଣସି ଅବସର ହେଉ କିଛି ବି ଭଲ ଲାଗେନାହିଁ । କୌଣସି ପ୍ରିୟଜନର ମୃତ୍ୟୁ, ଛାଡ଼ପତ୍ର, କୌଣସି ସମ୍ପର୍କ ଠାରୁ ଦୂରେଇଯିବା ଆଦିର କାରଣ ଯୋଗୁ ଅବସାଦ ହୋଇଥାଏ । ବାରମ୍ବାର ଅସଫଳତାର ସ୍ୱାଦ ଚାଖୁଥିବା ଲୋକମାନଙ୍କୁ ପ୍ରାୟତଃ ଅବସାଦ ପରି ସ୍ଥିତିରେ ଥିବାର ଦେଖାଯାଏ । ଏହାଛଡ଼ା ଆନୁବଂଶିକ କାରଣ ସହିତ ଏହା ଜଡ଼ିତ ଥାଇପାରେ । ଅନେକ ପ୍ରକାରର ରୋଗ ମଧ୍ୟ ଅବସାଦର କାରଣ ହୋଇପାରେ । ଅବସାଦରେ ଥିବା କୌଣସି ଲୋକକୁ ବିଶେଷ ପ୍ରକାରର ଯତ୍ନ ବା ଧ୍ୟାନର ଆବଶ୍ୟକ ହୁଏ ଯେପରି ସେ ନିଜକୁ ଏକୁଟିଆ ଅନୁଭବ ନକରିବ । ଏଥିପାଇଁ ତା’ସହିତ ବାରମ୍ବାର କଥାବାର୍ତ୍ତା କରିବା ଜରୁରୀ ହୋଇଥାଏ । ପରିବାରର କୌଣସି ବ୍ୟକ୍ତି ଯଦି ଚୁପ୍‌ଚାପ୍ ବସି ରହୁଥାଏ ବା ନିରାଶାବାଦୀ କଥା କହୁଥାଏ ତେବେ ସେହି ସ୍ଥିତିକୁ ବୁଝିବା ଜରୁରୀ ହୋଇପଡ଼େ । ଏନୋରେକ୍ସିଆ ଏକ ପ୍ରକାରର ଆହାର ସମ୍ବନ୍ଧୀୟ ବିକାର । ଅବସାଦ ଓ ଏନୋରେକ୍ସିଆ ସ୍ଥିତି ସହିତ ସଂଘର୍ଷ କରିଥିଲେ ଅର୍ଶିୟା ଗୌଡ଼ । କମ୍ ବୟସରେ ଏହି ସମସ୍ୟାଗୁଡ଼ିକୁ ହରାଇ ଆଜି ଅନେକ ଛୋଟ ବୟସର ପିଲାମାନଙ୍କୁ ଏ ଦିଗରେ ସେ ସାହାଯ୍ୟ କରୁଛନ୍ତି ।
ଅନେକ ଲୋକ ଅଳ୍ପ ବୟସରୁ ବହୁତ କିଛି ହାସଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାଆନ୍ତି । ଏହି ଶ୍ରେଣୀରେ ଅଛନ୍ତି ଅର୍ଶିୟା ଗୌଡ଼ । ଅର୍ଶିୟା ଜଣେ ସାଧାରଣ ସ୍କୁଲ୍‌ର ଛାତ୍ରୀ ନୁହନ୍ତି । ସେ ନିଜ ନାମ ସହିତ ଏପରି ଏକ ପରିଚୟ ଯୋଡ଼ିଛନ୍ତି ଯାହାକୁ ଶୁଣିଲେ ଯେ କୌଣସି ଲୋକ ଚିନ୍ତାରେ ପଡ଼ିଯିବେ ଯେ ଏତେ କମ୍ ବୟସରୁ ସେ ଏହି ସ୍ଥାନରେ କିପରି ପହଞ୍ôଚପାରିଲେ । ମାତ୍ର ୧୭ ବର୍ଷ ବୟସରେ ଅର୍ଶିୟା ଛୋଟ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟପ୍ରତି ସଚେତନତା ସୃଷ୍ଟି କରେଇବାର କାର୍ଯ୍ୟ କରୁଛନ୍ତି । ଏହା ସହିତ ଯେଉଁ ପିଲାମାନେ ପାଠପଢ଼ାରୁ ବଞ୍ôଚତ ହେଉଛନ୍ତି ସେମାନଙ୍କର ସହାୟତା କରୁଛନ୍ତି । କରୋନା ସମୟରେ ପାଠପଢ଼ା ପାଇଁ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍‌ର ଆବଶ୍ୟକତା ଥିବା ବେଳେ ଯେଉଁ ପିଲାମାନେ ଆର୍ଥିକ ପରିସ୍ଥିତି କାରଣରୁ ଏସବୁ ଜିନିଷରୁ ବଞ୍ôଚତ ହେଉଥିଲେ ସେହି ପିଲାମାନଙ୍କୁ ସାହାଯ୍ୟ କରୁଥିଲେ ଆର୍ଶିୟା । ଏ ପର୍ଯ୍ୟନ୍ତ ଅର୍ଶିୟା ଅଭାବୀ ପିଲାମାନଙ୍କର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏକ ଲକ୍ଷରୁ ଅଧିକ ଧନରାଶି ସଂଗ୍ରହ କରିସାରିଲେଣି । ଏକ ସାକ୍ଷାତକାରରେ ଅର୍ଶିୟା ନିଜର ମିଶନ ଓ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।
ଅର୍ଶିୟା ଜଣେ ଯୁବ ପ୍ରତିଭା । ନିଜର ଅନୁଭବକୁ ସେୟାର କରି ସେ କହିଛନ୍ତି ଯେ ପ୍ରଥମେ ମୋଟାପଣ କାରଣରୁ ପିଲାମାନେ ତାଙ୍କୁ ଚିଡ଼ଉଥିଲେ ଯେଉଁ କାରଣରୁ ସେ ଚିନ୍ତିତ ରହୁଥିଲେ । ଲୋକମାନଙ୍କର କଟୂ ମନ୍ତବ୍ୟଗୁଡ଼ିକ ତାଙ୍କ ମନରେ ବସା ବାନ୍ଧିି ରହୁଥିଲା । ଏଥିରୁ ବାହାରିବା ପାଇଁ ଆର୍ଶିୟାଙ୍କୁ ଥେରାପିର ସାହାଯ୍ୟ ନେବାକୁ ପଡ଼ିଥିଲା । ଥେରାପି ଓ ସ୍ପୋର୍ଟସ୍ ଯୋଗୁ ସେ ନିଜ ଅନୁଭବକୁ ଶବ୍ଦ ଜରିଆରେ ବର୍ଣ୍ଣନା କରିପାରିଥିଲେ । ଏହାପରେ ସେ ନିଜେ ଯେପରି ଥିଲେ ସେହିପରି ଭାବରେ ନିଜକୁ ଆପଣାଇବା ଆରମ୍ଭ କଲେ । ପାରିପାଶ୍ୱିର୍କ ଅବସ୍ଥିତି, ସାଙ୍ଗସାଥି ଓ ମାତାପିତାଙ୍କର ବ୍ୟବହାର ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏପରି ସ୍ଥିତିଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାକୁ ଅର୍ଶିୟା କହନ୍ତି । ପିଲାମାନଙ୍କୁ ଯାହା କୁହାଯାଏ, ତାଙ୍କ ଉପରେ ଯେପରି ମନ୍ତବ୍ୟ ଦିଆଯାଏ ସେସବୁ ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଏ । ଏହାଦ୍ୱାରା ସେମାନଙ୍କୁ କଷ୍ଟ ହୁଏ । ତେଣୁ ସେମାନେ କହୁଥିବା କଥା ଉପରେ ଗୁରୁତ୍ୱ ଦେବା ବହୁତ ଜରୁରୀ ହୋଇଥାଏ । ଅର୍ଶିୟା ଏହା ମଧ୍ୟ କହନ୍ତି ଯେ ପିଲାମାନଙ୍କୁ ଅଜବ ପ୍ରକାରର ନାମ ଯଥା ମୋଟା, ମୋଟି, ଛୋଟି, ଅପଦାର୍ଥ ଆଦି କହି ଚିଡ଼େଇବା ଉଚିତ ନୁହେଁ । ତାଙ୍କ ମତରେ ପିଲାମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବହୁତ ଜରୁରୀ । ଏହା ସହିତ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବା ଓ ତାଙ୍କ ସମସ୍ୟାଗୁଡ଼ିକୁ ଶୁଣିବା ଉଚିତ । କାରଣ ଯେଉଁ କଥାଗୁଡ଼ିକ ସେମାନଙ୍କୁ କଷ୍ଟ ଦେଉଥାଏ ଯଦି ସେମାନେ ଏସବୁ କଥା ମନରେ ରଖିବେ ବା ଭୟ କରି କାହା ସହିତ ସେୟାର୍ କରିବେ ନାହିଁ ତେବେ ଆଗକୁ ଯାଇ ସେମାନେ ଅନେକ ସମସ୍ୟାର ସାମ୍‌ନା କରିବେ । ଆର୍ଶିୟାଙ୍କ ଅନୁସାରେ ସେମାନଙ୍କର ସମସ୍ୟାକୁ ଅବସାଦ ଓ ଉଦ୍‌ବେଗ ବୋଲି ଭାବି ଏହାର ମୂଳୋତ୍ପାଟନ କରିବାକୁ ଚେଷ୍ଟା କରିବା ଆବଶ୍ୟକ ।
ଅର୍ଶିୟା ଏଡ୍‌ଟେକ୍ ପ୍ଲାଟ୍‌ଫର୍ମ ଜରିଆରେ ‘ରିଡ୍ ଟୁଗେଦର୍ ପ୍ରୋଗ୍ରାମ୍‌’ର ବିକାଶ କରିଛନ୍ତି । ଏଥିରେ ଏନ୍‌ସିଇଆର୍‌ଟି ବେସ୍‌ଡ ଅଡିଓ-ଭିଜୁଆଲ୍ କଣ୍ଟେଣ୍ଟ୍ ଉପଲବ୍ଧ ରହିଛି । ତାଙ୍କ ଅନୁସାରେ ପିଲାମାନେ ଏହା ମାଧ୍ୟମରେ ସହଜରେ ପଢ଼ିପାରିବେ ଓ ବୁଝିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ‘ରିଡ୍ ଟୁଗେଦର୍ ପ୍ରୋଗ୍ରାମ୍‌’ର ଇଂରାଜୀ କଣ୍ଟେଣ୍ଟ୍ ଉପଲବ୍ଧ ଅଛି । ପିଲାମାନେ ଟେକ୍‌ଷ୍ଟ ବୁକ୍ ବ୍ୟତୀତ ସାଧାରଣ ଜ୍ଞାନ ଓ ଅନ୍ୟସବୁ ବିଷୟ ଉପରେ ଯେପରି ଜ୍ଞାନ ଆହରଣ କରିପାରିବେ ସେଥିପାଇଁ ଏହାକୁ ମଲ୍ଟି ସବ୍‌ଜେକ୍ଟ କରେଇବା ପାଇଁ ଅର୍ଶିୟା ଲକ୍ଷ୍ୟ ରଖିଛନ୍ତି । ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରଭାବ ପକାଇପାରୁଥିବା ଏପରି କିଛି କାର୍ଯ୍ୟ ସେ କରିପାରିବେ ବୋଲି ପ୍ରଥମେ ଅର୍ଶିୟା ଭାବିପାରି ନଥିଲେ । କିନ୍ତୁ କାମ କରୁ କରୁ ତାଙ୍କର ନିଜ ଉପରେ ଭରସା ହେବାକୁ ଲାଗିଲା ଓ ଏବେ ସେ ନିଜ କାର୍ଯ୍ୟକୁ ଏକ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସକ୍ଷମ ବୋଲି ସେ ଭାବୁଛନ୍ତି । ତାଙ୍କର ଏହି ପରୋପକାରୀ କାର୍ଯ୍ୟରେ ଅର୍ଶିୟାଙ୍କ ମାତାପିତା, ଶିକ୍ଷକ ଓ ସାଙ୍ଗସାଥିମାନେ ଆର୍ଥିକ ସାହାଯ୍ୟ କରିବା ସହିତ ରିସର୍ଚ୍ଚ୍ ଉପରେ ମଧ୍ୟ ଅନେକ ସାହାଯ୍ୟ କରିଛନ୍ତି । ଏ ପର୍ଯ୍ୟନ୍ତ ଅର୍ଶିୟା ୫୦୦ ଜଣ ପିଲାଙ୍କୁ ସାହାଯ୍ୟ କରିସାରିଲେଣି । ଏହା ବ୍ୟତୀତ ଅର୍ଶିୟା ଜଣେ ଯୁବ ଲେଖିକା । ୨୦୨୧ରେ ଜୟପୁର ଲିଟରେଚର୍ ଫେଷ୍ଟିଭାଲ୍‌ରେ ନିମନ୍ତ୍ରିତ ହୋଇଥିବା ସେ ସବୁଠାରୁ କମ୍ ବୟସର ଲେଖିକା ଥିଲେ । ‘ହାଓ ଟୁ ଓପନ୍ ଏ ପାରାସୁଟ୍‌’ ତାଙ୍କ ଦ୍ୱାରା ଲିଖିତ ଏକ କବିତା ସଂଗ୍ରହ । ଅବସାଦ ଓ ଏନୋରେକ୍ସିଆ ବିରୁଦ୍ଧରେ ସଂଘର୍ଷ ଉପରେ ପୁସ୍ତକଟି ଆଧାରିତ ।

Related Articles

Leave a Reply

Your email address will not be published.

Back to top button