କୋଷ୍ଠ କାଠିନ୍ୟ ଓ ଡାଇବେଟିସ ରୋଗୀଙ୍କ ପାଇଁ କାକୁଡି ହିତକାରୀ

କାକୁଡିକୁ ସାଧାରଣତଃ ଖରାଦିନିଆ ଫସଲ ରୂପେ ଆଖ୍ୟା ଦିଆଯାଇଥାଏ । କାରଣ ଅନ୍ୟାନ୍ୟ ଋତୁରେ ଏହାକୁ ଚାଷ କରାଯାଉଥଲେ ସୁଦ୍ଧା ଗ୍ରୀଷ୍ମ ଋତୁରେ ଏହାର ଉପାଦେୟତା ଅଧିକ ପରିଲକ୍ଷିତ ହୋଇଥାଏ । ଯେହେତୁ ଏଥରେ ଜଳୀୟ ଅଂଶ ବହୁ ପରିମାଣରେ ଥାଏ ଏବଂ ଏହା କୋଷ୍ଠ କାଠିନ୍ୟ ଓ ଡାଇବେଟିସ ରୋଗୀଙ୍କ ପାଇଁ ହିତକାରୀ । ତେଣୁ ଖରାଦିନରେ ଏହାର ଉପାଦେୟତା ଅଧିକ ।

କାକୁଡ଼ିରେ ଭିଟାମିନ୍ ସି, ଭିଟାମିନ୍‌ କେ, କପର, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ମିନେରାଲ୍ସ, ପୋଟାସିୟମ ଏବଂ ଫସ୍‌ଫରସ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଓଜନ କମ୍ କରିବାରେ ମଧ୍ୟ ସହାୟକ। କାକୁଡ଼ିରେ ୯୫ ପ୍ରତିଶତ ପାଣି ଥିବାରୁ ଏହା କେବଳ ଯେ ଭୋକ ପ୍ରଶମିତ କରେ ତା’ ନୁହେଁ, ମେଟାବୋଲିଜିମ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ଏହା ଅନ୍ତ ସମ୍ବନ୍ଧୀୟ ସବୁପ୍ରକାର ରୋଗ ପାଇଁ ଉପକାରୀ। ନିୟମିତ ଭାବେ କାକୁଡ଼ି ଖାଇଲେ ହାଡ଼ ବି ମଜଭୁତ ହୋଇଥାଏ।

ପରିସ୍ରା ଜଳାପୋଡ଼ା ହେବା କିମ୍ବା ପରିସ୍ରା କମ୍ ହେଉଥିଲେ କାକୁଡ଼ିର ରସ ଖୁବ୍ ଉପଯୋଗୀ। ଏହାକୁ ସାରା ଦିନରେ ୩-୪ ଘଣ୍ଟା ବ୍ୟବଧାନରେ ପିଇଲେ ସୁଫଳ ମିଳେ।

କାକୁଡ଼ି ସହିତ ମୂଳା, ଗାଜର, ପିଆଜ ଏବଂ ଲେମ୍ବୁ ରସ ମିଶାଇ ସାଲାଡ୍ ବନାଇ ଖାଇଲେ ଅରୁଚି ଏବଂ ରକ୍ତର ଅଭାବ ଦୂର ହୁଏ।

ନିମ୍ନ ରକ୍ତଚାପ ସମସ୍ୟା ଭୋଗୁଥିବା ଲୋକେ ୨୦୦ ଗ୍ରାମ କାକୁଡ଼ିରେ ସୈନ୍ଧବ ଲବଣ ଏବଂ ଲେମ୍ବୁ ରସ ମିଶାଇ ପ୍ରତିଦିନ ସକାଳୁ ଏବଂ ସନ୍ଧ୍ୟାରେ ପିଇବା ଆବଶ୍ୟକ।

କାକୁଡ଼ିରେ ଜଳୀୟଅଂଶର ମାତ୍ରା ଅଧିକ ଥାଏ। ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ବୃଦ୍ଧି ପାଇଥାଏ।

ଓଜନ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟରେ କାକୁଡ଼ି ସାଲାଡ୍‌ ଖାଇବା ଜରୁରୀ। ଅଥବା ରାତି ଭୋଜନରେ କେବଳ କାକୁଡ଼ି ସାଲାଡ୍‌ ଖାଇପାରିବେ।

କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଖାଦ୍ୟରେ କାକୁଡ଼ିକୁ ସାମିଲ କରିବା ଆବଶ୍ୟକ। ତେବେ ହାଡ଼ ମଜଭୁତ ହେବାକୁ ଚାହୁଁଥିଲେ କାକୁଡ଼ିକୁ ଚୋପା ସହ ଖାଆନ୍ତୁ। କାରଣ କାକୁଡ଼ି ଚୋପାରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ, ଯାହା ହାଡ଼କୁ ସୁସ୍ଥ ଏବଂ ମଜଭୁତ କରେ।

କାକୁଡ଼ିର ମଞ୍ଜିକୁ ବାଟି କରି ଖାଇଲେ ଗରମ ଦିନରେ ଥଣ୍ଡା ଅନୁଭୁତ ହୋଇଥାଏ।

କାକୁଡ଼ିରେ ଥିବା ଭିଟାମିନ୍ ସି, ବିଟା କେରାଟିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଶରୀରରୁ ସମସ୍ତ ପ୍ରକାର ଫ୍ରି ରେଡିକାଲ ଦୂର କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

Related Articles

Leave a Reply

Your email address will not be published.

Back to top button