ଖୁସି ନଥିବାରୁ ଆତ୍ମହତ୍ୟା କଲେ ମଡେଲ୍‌

ମୁମ୍ବାଇ: ବାହାରୁ ସୁନ୍ଦର ଓ ଚକମକ କରୁଥିବା ଗ୍ଲାମର ଦୁନିଆରେ ନାମ କମାଇବା ଯେ, କେତେ କଷ୍ଟ ତାହାର ଝଲକ ଦେଖିବାକୁ ମିଳିଛି । ସ୍ୱପ୍ନର ନଗରୀ ମୁମ୍ବାଇର ଗ୍ଲାମର ଦୁନିଆରେ ନିଜ ନାମ କମାଇବାକୁ ଆସିଥିବା ଜଣେ ୩୦ ବର୍ଷୀୟ ମଡେଲ୍‌ ନିଜ ସ୍ୱପ୍ନକୁ ପୂରଣ କରିପାରି ନାହାନ୍ତି । ଶେଷରେ ହାରି ଯାଇ ଆତ୍ମହତ୍ୟା ଭଳି ଚରମ ପଥକୁ ସେ ବାଛିଛନ୍ତି । ଆଉ ସୁଇସାଇଟ୍‌ ନୋଟ୍‌ରେ ଲେଖିଯାଇଛନ୍ତି ନିଜ ଯନ୍ତ୍ରଣାମୟ ଜୀବନର କାହାଣୀକୁ । ଲୋଖଣ୍ଡୱାଲା ଯମୁନା ନଗର ସୋଟାଇଟିରେ ରହୁଥିବା ମଡେଲ ଆକାଂକ୍ଷା ମୋହନ ଜଣେ ଭଲ ମଡେଲ ହେବାକୁ ସ୍ୱପ୍ନ ଦେଖିଥିଲେ । ମୁମ୍ବାଇ ସହରରେ ନିଜ କ୍ୟାରିଅର କରିବାକୁ ଆସିଥିବା ଆକାଂକ୍ଷା ଅନ୍ଧେରୀର ଏକ ହୋଟେଲରେ ରହୁଥିଲେ । ବୁଧବାର ସେ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ । ଏହାପରେ ଖାଇବାକୁ ଅର୍ଡର ମଧ୍ୟ କରିଥିଲେ । ତାପର ଦିନ ସକାଳେ େୱଟର ଆସି କବାଟ ବାଡେଇବାରୁ କେହି ବି କିଛି ଜବାବ ଦେଇନଥିଲେ । ଫଳରେ ହୋଟେଲ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି ମାଷ୍ଟର ଚାବିରେ କବାଟ ଖୋଲିବାରୁ ମଡେଲ ପଙ୍ଖାରେ ଝୁଲିଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେଡ୍‌ ଉପରୁ ହାତ ଲେଖା ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି । ସେଥିରେ ସେ ନିଜ ପରିବାର,ବନ୍ଧୁ ଓ ପ୍ରିୟଜନଙ୍କୁ କ୍ଷମା ମାଗିଛନ୍ତି । ଆଉ ଲେଖିଛନ୍ତି, କ୍ଷମା କରିବେ, ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି । କାହାକୁ ହଇରାଣ କରିବେ ନାହିଁ । ମୁଁ ଖୁସି ନଥିଲି । ମୋତେ ଶାନ୍ତି ଦରକାର ବାସ୍‌ । ତେବେ ମଡେଲଙ୍କ ଆତ୍ମହତ୍ୟାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Related Articles

Leave a Reply

Your email address will not be published.

Back to top button