ପରଲୋକରେ ସାଉଥ୍‌ ଅଭିନେତା ଶରଥ ବାବୁ

ମୁମ୍ବାଇ: ତେଲୁଗୁ ସିନେମାର ଭେଟେରାନ ସାଉଥ ଅଭିନେତା ଶରଥ ବାବୁଙ୍କ ପରଲୋକ ଘଟିଛି। ସୋମବାର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ହଠାତ ଏଭଳି ମୃତ୍ୟୁ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। କାରଣ ଶରଥ ତାଙ୍କ ଅଭିନୟ କ୍ୟାରିୟରରେ ୨୦୦ରୁ ଅଧିକ ଚଳଚ୍ଚିତ୍ର କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଆଉ ସିନେମା ଦୁନିଆରେ ସେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ଶରଥ ବାବୁଙ୍କ ଅଭିନୟ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚର୍ଚ୍ଚାରେ ଥାଏ। ତାଙ୍କର ମୃତ୍ୟୁ ତେଲୁଗୁ ସିନେମା ଦୁନିଆର ଏକ ଅପୂରଣୀୟ କ୍ଷତି।ଶରଥ ବାବୁ ୧୯୭୩ରେ ଏକ ତେଲୁଗୁ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଶରଥ ବାବୁଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏକ ମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅର୍ଥାତ ସୋମବାର ସକାଳେ ଶରଥଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଦ୍ବିପହର ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି। ଶରଥଙ୍କ ଏଭଳି ମୃତ୍ୟୁ ଖବର ପାଇ ତାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ଓ ସିନେମା ଦୁନିଆରେ ଶୋକର ଛାୟା ଖେଳି ଯାଇଛି। ଶରଥ ବାବୁ ଅନେକ ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ମଝିରେ ମଝିରେ ଲୋକେ ଗୁଜବ ପ୍ରଚାର କରି ଥାଆନ୍ତି କି ତାଙ୍କର ପରଲୋକ ହୋଇଛି। କିନ୍ତୁ ଏଭଳି ଗୁଜବକୁ ପ୍ରଚାର ନକରିବାକୁ ଶରଥଙ୍କ ପରିବାର ସଦସ୍ୟ ବାରମ୍ବାର ଲୋକଙ୍କୁ ଅନୁରୋଧ କରିଥି‌ଲେ। ଦୁଃଖର ବିଷୟରେ କି ଆଜି ସତରେ ଶରଥ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ।

Related Articles

Leave a Reply

Your email address will not be published.

Back to top button