ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଭିଡିଓରେ ଶ୍ରଦ୍ଧା ଏକ ଜୁଏଲେରୀ ଦୋକାନରେ ଗ୍ରାହକଙ୍କୁ ଅଳଙ୍କାର ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ପୁନେର ଏକ ଜୁଏଲେରୀ ଦୋକାନରେ କୌଣସି ସେଲ୍ସ ଗର୍ଲଙ୍କ ପରି ଶ୍ରଦ୍ଧା ଗୋଟିଏ ନୂଆ ଅଳଙ୍କାର ବ୍ରାଣ୍ଡକୁ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ଭିଡିଓରୁ ଜଣାପଡ଼ୁଛି। ପ୍ରଥମେ ସେ ଦୋକାନର ଫାଟକ ନିକଟରେ ଠିଆହୋଇ ଗ୍ରାହକଙ୍କୁ ସ୍ବାଗତ କରୁଛନ୍ତି। ଏହାସହ ସେ ଗ୍ରାହକଙ୍କୁ ଅଳଙ୍କାର କିଣିବାରେ ସାହାଯ୍ୟ ମଧ୍ୟ କରୁଛନ୍ତି। କେଉଁ ଅଳଙ୍କାର କିଣିବା ଉଚିତ ଏବଂ କେଉଁ ପୋଷାକ ସହ କେଉଁ ଅଳଙ୍କାର ଉପଯୁକ୍ତ ହେବ, ଏନେଇ ଶ୍ରଦ୍ଧା ଉପସ୍ଥିତ ଗ୍ରାହକଙ୍କୁ ପରାମର୍ଶ ଦେଉଛନ୍ତି। ଶ୍ରଦ୍ଧାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ତାଙ୍କର ସେଲ୍ସ ଗର୍ଲ ରୂପ ଦେଖି ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେଲ୍ସ ଗର୍ଲ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ କାମ କେଡ଼େ କଷ୍ଟ ତାହା ଜଣାଇବାକୁ ଏହି ଭିଡିଓ କରିଥିବା ଶ୍ରଦ୍ଧା କହିଛନ୍ତି। ପ୍ରଥମଥର ପାଇଁ ସେ ଜଣେ ସେଲ୍ସ ଗାର୍ଲ ଭାବେ କାର୍ଯ୍ୟ କରିଥିବା ବେଳେ ଏହା ଆଦୌ ସହଜ ହୋଇ ନ ଥିବା ଶ୍ରଦ୍ଧା କହିଛନ୍ତି। ଆଦିତ୍ୟ ରୟ କପୁରଙ୍କ ସହ ‘ଆଶିକୀ ୨’ ଚଳଚ୍ଚିତ୍ରରୁ ଶ୍ରଦ୍ଧା ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଗତବର୍ଷ ରିଲିଜ୍‌ ହୋଇଥିବା ‘ତୁ ଝୁଟି ମେଁ ମକ୍କାର’ ଫିଲ୍ମରେ ଶ୍ରଦ୍ଧାଙ୍କୁ ଶେଷଥର ପାଇଁଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ରଣବୀର କପୁରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଗାମୀ ଦିନରେ ଶ୍ରଦ୍ଧା ରାଜକୁମାର ରାଓଙ୍କ ସହ ‘ସ୍ତ୍ରୀ ୨’ ଫିଲ୍ମରେ ନଜର ଆସିବେ। ଏହି ଚଳଚ୍ଚିତ୍ର ଆସନ୍ତା ଅଗଷ୍ଟ ୩୦ରେ ରିଲିଜ ହେବ।

Related Articles

Leave a Reply

Your email address will not be published.

Back to top button