ଆଖି ବୁଜିଲେ ରାଜୁ ଶ୍ରୀବାସ୍ତବ, ବଲିଉଡ଼ରେ ଶୋକ

ମୁମ୍ବାଇ: ଜୀବନ-ମରଣ ଲଢେଇରେ ହାରିଯାଇଛନ୍ତି ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ଓରଫ୍‌ ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ମୃତ୍ୟୁ ତାଙ୍କୁ କୋଳେଇ ନେଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହୃଦ୍‌ଘାତ ପରେ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା।

ଅଗଷ୍ଟ ୧୦ ତାରିଖରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ରାଜୁ। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେହି ଦିନ ହିଁ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କିନ୍ତୁ ତାଙ୍କ ଚେତା ଫେରିନଥିଲା। ସେ କୋମାକୁ ଚାଲି ଯାଇଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ। ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା। ଏମିତିକି ତାଙ୍କ ଚେତା ଫେରୁନଥିଲା। ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା। ତାଙ୍କୁ ବାରମ୍ବାର ଜ୍ୱର ହେଉଥିଲା। ତେଣୁ ଇନ୍‌ଫେକସନ୍‌ ଭୟରେ ରାଜୁଙ୍କୁ ଭେଟିବାକୁ ପରିବାର ଲୋକଙ୍କୁ ମଧ୍ୟ ଡାକ୍ତରମାନେ ଅନୁମତି ଦେଇନଥିଲେ। ୪୧ ଦିନ ଧରି ତାଙ୍କୁ  ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଏହା ପରେ ବି ରାଜୁଙ୍କ ଚେତା ଫେରିନଥିଲା। ଏହାକୁ ନେଇ ଚିନ୍ତିତ ଥିଲେ ଡାକ୍ତର। ଶେଷରେ ଆଜି ସେ ନିଜ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି।

ସେ ଏମିତି ଜଣେ ମଣିଷ ଥିଲେ  ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ। ହେଲେ ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ରାଜୁଙ୍କ ପରଲୋକ ପରେ ତ‌ାଙ୍କର ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟଟି ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ରାଜୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ତ‌ାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ୍‌ କରିଥିଲେ। ସେହି ପୋଷ୍ଟଟି ଏବେ ଲୋକଙ୍କ ଆଖି ଲୁହର କାରଣ ସାଜିଛି। ରାଜୁଙ୍କ ମଜାକିଆ ଅନ୍ଦାଜର ସେହି ପୋ‌ଷ୍ଟ୍‌ରେ ଅନେକ ବ୍ୟବହାରକାରୀ ତାଙ୍କ ସୁସ୍ଥତା କାମନା କରି କମେଣ୍ଟ୍‌ ବି କରିଛନ୍ତି। ପୋଷ୍ଟ୍‌ କରିଥିବା ଭିଡିଓରେ ରାଜୁ କରୋନା କଲର୍‌ ଟ୍ୟୁନ୍‌ ବିଷୟରେ କହୁଥିବାର ନଜର ଆସିଛନ୍ତି। କିପରି ଅମିତାଭ ବଚ୍ଚନଙ୍କ କଣ୍ଠସ୍ବରରେ ପୂର୍ବରୁ କରୋନା କଲର୍‌ ଟ୍ୟୁନ୍‌ ଶୁଭୁଥିଲା ତାହାକୁ ମନେ ପକାଇ ରାଜୁ ଶଶୀ କପୁର ଓ ବିନୋଦ ଖାନା ଏହି ବିଜ୍ଞାପନ ପାଇଁ କଣ୍ଠ‌ ଦେଇଥିଲେ କିପରି ଶୁଭିଥାନ୍ତା ବୋଲି କହି ମିମିକ୍ରି କରୁଛନ୍ତି।

ତାଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଆଧୁନିକ ସମାଜରେ ଜୀବନର ବ୍ୟସ୍ତତାକୁ ନେଇ ଉଦାସ ହୋଇପଡୁଥିବା ମଣିଷକୁ ହସେଇ ହସେଇ ବେଦମ କରୁଥିଲେ ରାଜୁ ଶ୍ରୀବାସ୍ତବ । ୧୯୬୩ ଡିସେମ୍ବର ୨୫ ତାରିଖ କାନପୁରରେ ସେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ହିଁ ଭାରି ଗପୁଡା ଥିଲେ ରାଜୁ । ସମସ୍ତଙ୍କୁ ମଜା ମଜା କଥାରେ ହସେଇବା ତାଙ୍କର ଏକ ସହଜାତ ଗୁଣ ଥିଲା । ସ୍କୁଲରେ ପାଠ ପଢା ସମୟରେ ପଢା ଅପେକ୍ଷା ହସମଜାକରେ ଅଧିକ ସମୟ କାଟୁଥିଲେ । ଅନେକ ସମୟରେ ଶିକ୍ଷକମାନଙ୍କର ମିମିକ୍ରି କରି ସାଙ୍ଗମାନଙ୍କୁ ହସାଉଥିଲେ । ସ୍କୁଲରେ ଯେତେବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଉଥିଲା ତାଙ୍କୁ କମେଣ୍ଟ୍ରି କରିବାକୁ ଡାକରା ପଡୁଥିଲା। ତାଙ୍କର ମଜାଳିଆ ଅନ୍ଦାଜ ହିଁ ତାଙ୍କୁ କମ୍ ବୟସରୁ ସମସ୍ତଙ୍କ ପାଖରେ ଲୋକପ୍ରିୟ କରିବାକୁ ଆରମ୍ଭ କଲା । ଯେତେବେଳେ ପଡୋଶୀଙ୍କ ଘରେ କୌଣସି ଜନ୍ମିଦନ ବା ପାର୍ଟି, ମହୋତ୍ସବ ହୁଏ ରାଜୁଙ୍କୁ ଡାକନ୍ତି । ଯୁଆଡେ ଯାଉଥିଲେ ଘରକୁ ଫେରିବାରେ ଡେରି କରୁଥିଲେ । ଫଳରେ ଘରେ ମା’ଙ୍କ ଠାରୁ ଗାଳି ଶୁଣିବାକୁ ପଡୁଥିଲା । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ଫିଲ୍ମ ଜଗତରେ ନିଜର ହାସ୍ୟରସ ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଆମର ପ୍ରିୟ ବିଜେପି ନେତା ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ।ତାଙ୍କ ମୃତ୍ୟୁ କଳା ଏବଂ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।’

Related Articles

Leave a Reply

Your email address will not be published.

Back to top button