ଏପ୍ରିଲ ୧ରୁ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ୍‌

ନୂଆଦିଲ୍ଲୀ: ୨୦୨୫ ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଅର୍ଥବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ (ଏକୀକୃତ) ପେନ୍‌ସନ୍ ଯୋଜନା (ୟୁପିଏସ୍‌) ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୨୪ ଜାନୁଆରୀ ୨୦୨୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ସୂଚନା ଅନୁଯାୟୀ ଏହି ଯୋଜନା ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପୂର୍ବରୁ ଏନ୍‌ପିଏସ୍ ଅଧୀନରେ ରହିଛନ୍ତି ଏବଂ ୟୁପିଏସ୍ ପାଇଁ ଚୟନ କରୁଛନ୍ତି। ସରକାରୀ କର୍ମଚାରୀମାନେ ଏନ୍‌ପିଏସ୍ ଅଧୀନରେ ୟୁପିଏସ୍ ଯୋଜନାର ବିକଳ୍ପ ବାଛିପାରିବେ ନଚେତ୍ ୟୁପିଏସ୍ ବଦଳରେ ଏନ୍‌ପିଏସ୍‌କୁ ବିକଳ୍ପ ଭାବେ ବାଛିପାରିବେ। ସରକାରଙ୍କ ଦ୍ୱାରା ଜାରି ସୂଚନାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ୟୁପିଏସ୍ ଯୋଜନାକୁ ଚୟନ କରିଥିବା ହିତାଧିକାରୀ ନୀତିଗତ ରିହାତି, ନୀତି ପରିବର୍ତ୍ତନ ଏବଂ ଆର୍ôଥକ ଲାଭ ପାଇବା ପାଇଁ ହକ୍‌ଦାର ହେବେ ନାହିଁ। ଭାରତ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ନିଷ୍ପତ୍ତି ନେବା ପରେ ପରେ ଅର୍ଥ ମନ୍ତ୍ରଣାଳୟ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ୍ (ୟୁପିଏସ୍‌)କୁ ସୂଚିତ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ୟୁପିଏସ୍‌ର ପ୍ରଭାବ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ। ଯେଉଁ କର୍ମଚାରୀମାନେ ୟୁପିଏସ୍ ଚୟନ କରିଛନ୍ତି ବା କରିବେ ସେମାନଙ୍କୁ ଅବସର ପରବର୍ତ୍ତୀ ଜୀବନ ପାଇଁ ୧୨ମାସର ମୌଳିକ ଆୟର ୫୦% ଦିଆଯିବ, କିନ୍ତୁ ଏଥିପାଇଁ ସେହି କର୍ମଚାରୀଙ୍କୁ ଅତି କମ୍‌ରେ ୨୫ ବର୍ଷ କାମ କରିବାକୁ ପଡିବ ଏବଂ ୟୁପିଏସ୍ ଯୋଜନାରେ ଯୋଗଦାନ ଦେବାକୁ ପଡ଼ିବ। ୟୁପିଏସ୍ ଯୋଜନା ଅନ୍ତର୍ଗତ ଦିଆଯାଉଥିବା ପେନ୍‌ସନ୍‌ରେ ସମୟ ସମୟରେ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏର ଲାଭ ମଧ୍ୟ ଯୋଡ଼ାଯିବ। ବର୍ତ୍ତମାନ ନୂତନ ପେନ୍‌ସନ୍ ଯୋଜନାର ଲାଭ ପାଉଥିବା କର୍ମଚାରୀଙ୍କ ମୌଳିକ ଆୟର ୧୦% ପେନ୍‌ସନ୍ ଆକାଉଣ୍ଟରେ ଅବଦାନ ଭାବରେ ଜମା କରାଯାଉଛି। ସେହିଭଳି ମୌଳିକ ଆୟର ୧୪% ସରକାର ଯୋଗଦାନ କରୁଛନ୍ତି। କିନ୍ତୁ ୟୁପିଏସ୍ ଯୋଜନା ଅଧୀନରେ, ସରକାରଙ୍କ ଦ୍ୱାରା ପେନ୍‌ସନ୍ ଆକାଉଣ୍ଟରେ ଜମା କରାଯାଇଥିବା ଅବଦାନ କର୍ମଚାରୀଙ୍କ ମୌଳିକ ଆୟର ୧୮.୫%କୁ ବୃଦ୍ଧି ପାଇବ। ଏତଦ୍‌ବ୍ୟତୀତ ୟୁପିଏସ୍ ବାଛିଥିବା କର୍ମଚାରୀମାନେ ପ୍ରତି ୬ମାସର ସେବା ପାଇଁ ମାସିକ ଦରମାର ବେସିକ୍ ଅର୍ଥ ପରିମାଣ ସହ ମହଙ୍ଗା ଭତ୍ତାର ୧୦% ସମତୁଲ୍ୟ ଏକକାଳୀନ ଦେୟ ପାଇବାକୁ ଯୋଗ୍ୟ ହେବେ। ତେବେ ଅବସର ଗ୍ରହଣ ପରେ କର୍ମଚାରୀଙ୍କୁ ଏକକାଳୀନ ଦେୟ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ନିଶ୍ଚିତ ପେନସନକୁ ପ୍ରଭାବିତ କରିବ ନାହିଁ। କେନ୍ଦ୍ର କ୍ୟାବିନେଟ୍ ଗତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ନିଶ୍ଚିତ ପେନ୍‌ସନ୍ ଯୋଗାଇବା ପାଇଁ ଏକ ଯୋଜନା ଭାବରେ ୟୁପିଏସ୍ ଅନୁମୋଦନ କରିଥିଲା। ଜାତୀୟ ପେନ୍‌ସନ୍ ସିଷ୍ଟମ୍ (ଏନ୍‌ପିଏସ୍‌) ମଧ୍ୟରେ ଏକ ବିକଳ୍ପ ଭାବରେ ୟୁପିଏସ୍‌କୁ ଉପସ୍ଥାପିତ କରାଯାଇଛି। ସିଧାସିଧା କହିଲେ ପୁରୁଣା ପେନସନ ଯୋଜନା (ଓପିଏସ୍‌) ଏବଂ ଜାତୀୟ ପେନସନ ଯୋଜନା (ଏନ୍‌ପିଏସ୍‌) ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏବଂ ଅବସର ପରେ ସରକାରୀ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ଲକ୍ଷ୍ୟରେ ଅଗଷ୍ଟ ୨୦୨୪ରେ ୟୁପିଏସ୍‌କୁ ପ୍ରଚଳନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button