ଫୁଡ ଡେଲିଭରୀ ବୟ ନିଜେ ଭୋକିଲା: କମୁଛି ରୋଜଗାର

ନୂଆଦିଲ୍ଲୀ : ଅନୁସନ୍ଧାନ ସଂଗଠନ ଏନସିଏଇଆର ଏକ ରିପୋର୍ଟ ଅନୁସାରେ ଫୁଡ ଡେଲିଭରୀ ବୟ ନିଜେ ଭୋକିଲା ରହୁଛନ୍ତିି। ସାଧାରଣ କର୍ମଚାରୀଙ୍କ ଅପେକ୍ଷା ସେମାନଙ୍କୁ ଅଧିକ କାମ କରିବାକୁ ପଡିଥାଏ। ସେମାନଙ୍କ କାର୍ଯ୍ୟ ସମୟ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା ଦିନକୁ ପ୍ରାୟ ୧୧ ଘଣ୍ଟା ହୋଇଗଲାଣି । ଏହି କଠିନ ପରିଶ୍ରମ ପରେ ମଧ୍ୟ ସେମାନଙ୍କ ରୋଜଗାର ହ୍ରାସ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ୨୦୧୯ରେ ଏହିପରି କର୍ମଚାରୀଙ୍କ ହାରାହାରି ଆୟ ୧୩,୪୭୦ ଟଙ୍କା ଥିଲା, ଯାହା ୨୦୨୨ ରେ ୧୧,୯୬୩ ଟଙ୍କାକୁ ଖସି ଆସିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଇତ୍ୟାଦି ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ଫୁଡ ଡେଲିଭରୀ କର୍ମଚାରୀଙ୍କ ରୋଜଗାରରେ ଦୋହରା ହ୍ରାସ ଘଟିଛି। ‘ଫୁଡ ଡେଲିଭରୀ ପ୍ଲାଟଫର୍ମର ସାମାଜିକ-ଅର୍ଥନୈତିକ ପ୍ରଭାବ ଆକଳନ’ ନାମରେ ପ୍ରକାଶିତ ଏହି ରିପୋର୍ଟରେ ସ୍ବଳ୍ପ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ରୋଜଗାର ମଧ୍ୟ ହ୍ରାସ ପାଇଛି ବୋଲି ଦାବି କରାଯାଇଛି। ପ୍ରାୟ ପାଞ୍ଚ ଘଣ୍ଟା କାମ କରୁଥିବା କର୍ମଚାରୀଙ୍କ ରୋଜଗାର ୭,୯୯୯ ରୁ ୭,୧୫୭ ଟଙ୍କାକୁ ଖସି ଆସିଛି। ଏହି ରିପୋର୍ଟ ଦେଶର ୨୮ ଟି ଛୋଟ, ମଧ୍ୟମ ଏବଂ ବଡ ସହରର ୯୨୪ ଫୁଡ ଡେଲିଭରୀ ବୟଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଉପରେ ଆଧାରିତ । ସାଧାରଣତଃ ଲୋକମାନେ ବିଶ୍ୱାସ କରନ୍ତି ଫୁଡ ଡେଲିଭରୀ କାର୍ଯ୍ୟ କମ ଶିକ୍ଷିତ କିମ୍ବା ଅଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ । କିନ୍ତୁ ଏନସିଏଇଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହି କାମ କରୁଛନ୍ତି । ଅନ୍ୟାନ୍ୟ ସମାନ କାର୍ଯ୍ୟ ତୁଳନାରେ, ଅଧିକ ଶିକ୍ଷିତ ଫୁଡ ଡେଲିଭରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବଡ଼ ଧରଣର ଔପଚାରିକତାର ଆବଶ୍ୟକତା ନାହିଁ । ଅନେକ ସମୟରେ ଶିକ୍ଷିତ ବ୍ୟକ୍ତି ଯେଉଁମାନେ ହଠାତ ଚାକିରି ହରାନ୍ତି, ସେମାନେ ମଧ୍ୟ ଏହି କ୍ଷେତ୍ରରେ ଅସ୍ଥାୟୀ ଭାବରେ ଏକ ନୂତନ ଚାକିରି ପାଇବା ପର୍ଯ୍ୟନ୍ତ ସେମାନଙ୍କର ଆବଶ୍ୟକୀୟ ଖର୍ଚ୍ଚ ପୂରଣ କରିବାକୁ ଆସନ୍ତି। ଏହି କାରଣରୁ ଅପେକ୍ଷାକୃତ ଶିକ୍ଷିତ ଯୁବକମାନେ ମଧ୍ୟ ଏହି କ୍ଷେତ୍ରକୁ ଆସିଥାନ୍ତି।

Related Articles

Leave a Reply

Your email address will not be published.

Back to top button