ବଜେଟ୍ ପୂର୍ବରୁ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ:ଚଳିତମାସ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ତରଫରୁ ଆସନ୍ତାକାଲି ଅର୍ଥାତ୍ ସୋମବାର ସର୍ବଦଳୀୟ ବୈଠକ ଡକାଯାଇଛି । ପାର୍ଲାମେଣ୍ଟ୍ ଆନେକ୍ସ ବିଲ୍ଡିଂରେ ପୂର୍ବାହ୍ନ ୧୧ଟାରେ ବୈଠକ ଆରମ୍ଭ ହେବ । ବଜେଟ୍ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ସରକାର ବୈଠକରେ ସବୁ ଦଳର ସହଯୋଗ ଲୋଡିବେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ବିରୋଧୀ ଦଳଗୁଡିକ ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାର ବିରୋଧୀ ମନ୍ତବ୍ୟ ଦେବାର ସମ୍ଭାବନା ରହିଛି । ଏଥର ବଜେଟ ଅଧିବେଶନକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।