ନୂଆଦିଲ୍ଲୀରେ ଇନ୍ଭେର୍ଷ୍ଟସ ମିଟ୍: ୧୩ ଏମ୍ଓୟୁ, ୧.୦୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଇନ୍ଭେର୍ଷ୍ଟସ୍ ମିଟ୍ କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି । ଏହି ୧୩ଟି ଚୁକ୍ତିନାମା ଜରିଆରେ ଓଡ଼ିଶାକୁ ୯୮,୮୮୦ କୋଟି ଟଙ୍କାର ପୁଞ୍ଜି ଆସିବା ସହିତ ୬୭ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ସହିତ ୧୫ଟି କ୍ଷେତ୍ରରେ ନିବେଶ ପ୍ରସ୍ତାବ ମଧ୍ୟ ଆସିଛି । ଏହାଦ୍ୱାରା ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୯୫,୯୧୫ଟି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ମଙ୍ଗଳବାର ନୂଆଦିଲ୍ଲୀସି୍ଥତ ତାଜ୍ ପ୍ୟାଲେସ୍ଠାରେ ମଙ୍ଗଳବାର ଆୟୋଜିତ ହୋଇଛି ଇନ୍ଭେର୍ଷ୍ଟସ ମିଟ୍ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଚୁକ୍ତିନାମାଗୁଡ଼ିକ ମଧ୍ୟରେ ଆଇଓସିଏଲ୍ ସହିତ ଚୁକ୍ତି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଏକ ଡୁଆଲ୍-ଫିଡ୍ ନାଫ୍ ଥା କ୍ରାକର୍ ପ୍ରକଳ୍ପ କରିବା ପାଇଁ ଏହି ଚୁକ୍ତି କରାଯାଇଛି । ଏହା ଦ୍ୱାରା ଆଇଓସିଏଲ୍ ଓଡ଼ିଶାରେ ୫୮,୦୪୨ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଏବଂ ୨୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ପେଟ୍ରୋକେମିକାଲ୍ ଓ କେମିକାଲ୍ କ୍ଷେତ୍ରରେ ଆଉ ଦୁଇଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି । ଗୋଟିଏ ଚୁକ୍ତିନାମା ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ୍ସ ଲିମିଟେଡ୍ ସହିତ ହୋଇଥିବାବେଳେ ଅନ୍ୟ ଚୁକ୍ତିନାମାଟି ପେଟ୍ରୋନେଟ୍ ଏଲ୍ଏନ୍ଜି ସହିତ କରାଯାଇଛି । ପେଟ୍ରୋକେମିକାଲ୍ କ୍ଷେତ୍ରରେ ଏହି ଚୁକ୍ତିନାମାଗୁଡ଼ିକ ଓଡ଼ିଶାର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଏ କ୍ଷେତ୍ରରେ ଦେଶର ଆମଦାନୀକୁ ହ୍ରାସକରିବ ଏବଂ ଏକ ସୁଦୃଢ଼ ସପ୍ଲାଇ ଚେନ୍ ମଧ୍ୟ ପ୍ରତିଷ୍ଠା କରିପାରିବ । ଆଇଓସିଏଲ୍ ସହିତ ଚୁକ୍ତିନାମା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏକ ମାଇଲଖୁଣ୍ଟ । ଶିଳ୍ପପତିମାନଙ୍କ ସହିତ ଆଲୋଚନା ଦ୍ୱାରା ଶିଳ୍ପ ଜଗତରେ ଓଡ଼ିଶା ପ୍ରତି ଏକ ସକରାତ୍ମକ ମନୋଭାବ ସୃଷ୍ଟି ହୋଇଛି । ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମ ଭାରତରେ ଗୁଜୁରାଟର ଦାହେଜ ବନ୍ଦର ଯେପରି ପେଟ୍ରୋକେମିକାଲ୍ କ୍ଷେତ୍ରରେ ଏକ ଅଗ୍ରଣୀ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇପାରିଛି, ପାରାଦୀପ ମଧ୍ୟ ପୂର୍ବ ଭାରତରେ ସେହିପରି ଭାବେ ବିକଶିତ ହେବ । ଶିଳ୍ପକ୍ଷେତ୍ର ସହିତ ଓଡ଼ିଶାର ଉଜ୍ଜଳ ଭବିଷ୍ୟତ ପାଇଁ ଆପଣମାନେ ଓଡ଼ିଶାରେ ନିବେଶ କରନ୍ତୁ । ନିବେଶ କରିବା ପାଇଁ ଏହି ସମୟ ହିଁ, ପ୍ରକୃତ ସମୟ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିଅମ୍ ଓ ନେଚୁରାଲ୍ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଓଡିଶାର ଶିଳ୍ପ, ସ୍କିଲ୍ ଡେଭ୍ଲପ୍ମେଣ୍ଟ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ନିଜର ଅଭିଭାଷଣ ରଖି ଶିଳ୍ପକ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।