ବର୍ଷକରେ ୨୭ ପ୍ରତିଶତ ମହଙ୍ଗା ହେଲାଣି ହରଡ଼ ଡାଲି

ନୂଆଦିଲ୍ଲୀ : ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଡାଲିର ମୂଲ୍ୟ ହ୍ରାସ ହେବାର ନାମ ନେଉନାହିଁ। ବିଶେଷକରି ହରଡ଼ ଡାଲିର ମୂଲ୍ୟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଗତ ଏକ ବର୍ଷ ମଧ୍ୟରେ ହରଡ଼ ଡାଲି ୨୭ ପ୍ରତିଶତ ମହଙ୍ଗା ହୋଇଛି। ଏହା ସହିତ ମସୁର ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ମୌସୁମୀରେ କମ ବର୍ଷା ଯୋଗୁ ଆସନ୍ତା ଦିନରେ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଦେଶରେ ଖୁଚୁରା ମୂଲ୍ୟ ଉପରେ ନଜର ରଖୁଥିବା ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନର ତଥ୍ୟ ଅନୁଯାୟୀ, ୨୯ ଅଗଷ୍ଟ ୨୦୨୨ ରେ କିଲୋଗ୍ରାମ ପିଛା ହାରାହାରି ମୂଲ୍ୟ ୧୧୦.୬୬ ଟଙ୍କାରେ ଉପଲବ୍ଧ ଥିବା ହରଡ଼ ଡାଲି ଗୋଟିଏ ବର୍ଷରେ କେଜି ପିଛା ୧୪୦.୩୪ ଟଙ୍କାକୁ ବୃଦ୍ଧି ହୋଇଛି। ଅର୍ଥାତ ଗୋଟିଏ ବର୍ଷ ମଧ୍ୟରେ ଏହାର ମୂଲ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଛି। ଖାଦ୍ୟ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୯ ଅଗଷ୍ଟ ୨୦୨୨ ରେ ଏକ ବର୍ଷ ପୂର୍ବରୁ ମୁଗ ଡାଲିର ହାରାହାରି ମୂଲ୍ୟ ୧୦୨.୩୫ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୧୧.୧୯ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ ମୁଗ ଡାଲି ଗୋଟିଏ ବର୍ଷରେ ୮.୧୫ ପ୍ରତିଶତ ମହଙ୍ଗା ହୋଇଛି। ଏକ ବର୍ଷ ପୂର୍ବେ ୧୦୮.୨୫ ଟଙ୍କାରେ ଉପଲବ୍ଧ ଥିବା ବିରି ଡାଲି ବର୍ତ୍ତମାନ କିଲୋଗ୍ରାମ ପିଛା ୧୧୫.୦୨ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି। ଏହା ୬.୨୫ ପ୍ରତିଶତ ଅଧିକ ହୋଇଛି। ଏକ ବର୍ଷ ପୂର୍ବେ ମସୁର ଡାଲତର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୯୨.୦୯ ଟଙ୍କା ଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପିଛା ୯୭.୧୬ ଟଙ୍କାକୁ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବେ ବୁଟ ଡାଲି କିଲୋଗ୍ରାମ ପିଛା ୭୪.୧୫ ଟଙ୍କା ଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପିଛା ୭୭.୯ ଟଙ୍କାରେ ପହଞ୍ଚିଛି। ଗୋଟିଏ ବର୍ଷରେ ଏହା ୫ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଛି।

Related Articles

Leave a Reply

Your email address will not be published.

Back to top button