ଦୀପାବଳିରେ ଚମକିବ ସୁନା,ସୁନାରେ ନିବେଶ କରିବାର ସୁବର୍ଣ୍ଣ ସୁଯୋଗ

ଦୀପାବଳିରେ ଚମକିବ ସୁନା । ୧୦ ଗ୍ରାମ ପିଛା ଏହି ମୂଲ୍ୟବାନ ହଳଦିଆ ଧାତୁ ଦର ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବଜାର ସୂତ୍ରରୁ ଜଣାପଡ଼ିଛି । ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୧୨% ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି । ଏହା ସହିତ ବିଭିନ୍ନ ରାଷ୍ଟ୍ରର ଷ୍ଟକ ବଜାରରେ ଅସ୍ଥିରତା ଲାଗି ରହିଛି । ଏଭଳି ସ୍ଥିତିରେ ସୁନା ଏବେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହ ଏହାର ଦରରେ ବୃଦ୍ଧି ଘଟୁଛି । ଦୀପାବଳି ସୁଦ୍ଧା ଦେଶରେ ୧୦ ଗ୍ରାମ ପିଛା ସୁନା ଦର ୫୩,୦୦୦ ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରଫିଟ୍‌ ବୁକିଂ ବି ସୁନା ଦରକୁ ବଢ଼ାଇପାରେ। ସମ୍ପ୍ରତି ଡଲାର ତୁଳନାରେ ଟଙ୍କାର ପତନ ମଧ୍ୟ ଏହି ଧାତୁକୁ ମହଙ୍ଗା କରୁଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୮୨ ପାର କରି ୮୨.୪୦ରେ ପହଞ୍ଚିଛି ।ଫଳରେ ଆମଦାନି ମହଙ୍ଗା ହୋଇଛି, ଯାହାର ପ୍ରଭାବ ସୁନା ଦର ଉପରେ ପଡ଼ିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପାଇଁ ବିଶ୍ୱ ଅର୍ଥବ୍ୟବସ୍ଥାରେ କୌଣସି ପ୍ରକାର ସୁଧାର ଆଶା ନାହିଁ । ଷ୍ଟକ୍‌ ବଜାରରେ ହ୍ରାସ ଯୋଗୁ ସୁନାର ନିବେଶ ବଢୁଛି । ଫଳରେ ଦର ବଢ଼ିବା ସ୍ୱାଭାବିକ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।ତେବେ ରବିବାର ସକାଳେ ଦିଲ୍ଲୀ, ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ସୁନା ଦର ସ୍ଥିର ରହିଛି । ଦିଲ୍ଲୀରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୪୮,୦୧୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍‌ ଦର୫୨,୩୭୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍‌ ଯୁକ୍ତ ସୁନା ଦର ୧୦ ଗ୍ରାମ ପିଛା ୪୮,୪୦୦ ଟଙ୍କା ଏବଂ ୨୪ କ୍ୟାରେଟ୍‌ ଦର ୫୨,୮୦୦ ଟଙ୍କା ରହିଛି । କୋଲାକାତାରେ ଏହା ଯଥାକ୍ରମେ ୪୭,୮୫୦ ଟଙ୍କା ଏବଂ ୫୨,୨୦୦ ଟଙ୍କା ରହିଛି । ମୁମ୍ବାଇରେ ଏହା ଯଥାକ୍ରମେ ୪୭,୮୫୦ ଟଙ୍କା ଏବଂ ୫୨,୨୦୦ ଟଙ୍କା ରହିଥିବା ଜଣାପଡ଼ିଛି । ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୧୭୪୦ ଡଲାର(୧,୪୪,୧୨୮ ଟଙ୍କା)ରେ ପହଞ୍ଚିଛି । ଆଗକୁ ଏ ଟ୍ରେଣ୍ଡ ଜାରି ରହିବ ବୋଲି ଅନୁମାନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button