ସୁପ୍ରିମକୋର୍ଟରେ ଅଦାନି-ହିଣ୍ଡେନବର୍ଗ ମାମଲା: ଏକ୍ସପର୍ଟ ପ୍ୟାନେଲ ଗଠନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଷ୍ଟକ୍ ଏକ୍ସଚେଞ୍ଜ୍ କାରବାର ପ୍ରସଙ୍ଗରେ ନିୟନ୍ତ୍ରିତ ମେକାନିଜିମ୍‌କୁ ସୁଦୃଢ କରିବା ନିମନ୍ତେ ଏକ୍ସପର୍ଟ ପ୍ୟାନେଲ ଗଠନ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ସୋମବାର ସୁପ୍ରିମକୋର୍ଟରେ ଅଦାନି-ହିଣ୍ଡେନବର୍ଗ ମାମଲାର ଶୁଣାଣି ଅନୁଷ୍ଠିତ ହୋଇଥିବାବେଳେ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି । ଏଭଳି ପରିସ୍ଥିତି ଉପରେ ନଜର ରଖିବାକୁ ବର୍ତ୍ତମାନ ଏକାଧିକ ଏଜେନ୍ସି ସକ୍ଷମ ହେଉଥିଲେ ସୁଦ୍ଧା ଏକ୍ସପର୍ଟ ପ୍ୟାନେଲ ଗଠନର ଆବଶ୍ୟକତା ରହିଛି ବୋଲି ଶ୍ରୀ ମେହେଟ୍ଟା ସୁପ୍ରିମକୋର୍ଟ ଖଣ୍ଡପୀଠକୁ ଅବଗତ କରାଇଛନ୍ତି । ଚଳିତବର୍ଷ ଜାନୁଆରୀ ୨୬ରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରେ ଅଦାନି ଗ୍ରୁପ୍‌ର ସେୟାର ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଥିଲା । ଅଦାନି ଗ୍ରୁପ୍ ଜାଲିଆତି କରି ସେୟାର ମୂଲ୍ୟ ବୃଦ୍ଧି କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଏହାପରେ ଅଦାନି ଗ୍ରୁପ୍ ପ୍ରାୟ ୧୨୦ ବିଲିୟନ ଡଲାର ସମ୍ପତ୍ତି ହରାଇଥିବାବେଳେ ଏହାର ଅଂଶଧନକାରୀମାନେ ନିଜର ପୁଞ୍ଜିକୁ ନେଇ ଆତଙ୍କିତ ହୋଇପଡିଥିଲେ । କେନ୍ଦ୍ର ସରକାର ଜାଣିଶୁଣି ଅଦାନି ଗ୍ରୁପ୍‌କୁ ସହାୟତା କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏପରିକି ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ବିରୋଧୀ ଦଳଗୁଡିକ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୋକ୍ଷ ନିର୍ଦ୍ଦେଶକ୍ରମେ ଏଲଆଇସି ଓ ଏସ୍‌ବିଆଇ ଭଳି ସଂସ୍ଥା ଅଦାନି ଗ୍ରୁପ୍ ସେୟାର କିଣିଥିବା ଚର୍ଚ୍ଚା ଜୋର ଧରିଥିଲା । ଷ୍ଟକ୍ ଏକ୍ସଚେଞ୍ଜରେ ଅଦାନି ଗ୍ରୁପ୍ ସେୟାର ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇବାପରେ ଏହାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ସୁପ୍ରିମକୋର୍ଟ ଗତ ସପ୍ତାହରେ ଏହାର ଶୁଣାଣି କରି ଫେବୃଆରୀ ୧୩ ସୁଦ୍ଧା ଜବାବ ଦାଖଲ କରିବାକୁ ଉଭୟ କେନ୍ଦ୍ର ସରକାର ଓ ସେବି (ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ)କୁ ନୋଟିସ ଜାରି କରିଥିଲେ ।

Related Articles

Leave a Reply

Your email address will not be published.

Back to top button