ହେଲମେଟ୍‌ ପିନ୍ଧିନଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆଉ ବିନା ହେଲମେଟ୍‌ ଗାଡ଼ି ଚାଳକଙ୍କୁ ନିସ୍ତାର ନାହିଁ। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି।  ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଖିଲାପୀ ବାଇକ୍ ଚାଳକଙ୍କୁ କ୍ଷମା ମିଳିବ ନାହିଁ। ରାଜ୍ୟ ପରିବହନ ବିଭାଗ ଚଳିତ ୧୬ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରୁଛି। ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ୟ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଜାରି ରହିବ। ଏହି ଚଢ଼ଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ଆରଟିଓ ପୁଲିସ ସହାୟତା ପାଇଁ ଜିଲ୍ଲା ସ୍ତରରେ ଏସପିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବେ। ଏହି ଚଢ଼ଉ କାର୍ଯ୍ୟକ୍ରମରେ ଅତିରିକ୍ତ ଆରଟିଓ(ଏନଫୋର୍ସମେଣ୍ଟ)/ଅତିରିକ୍ତ ଏମଭିଆଇ/କନିଷ୍ଠ ଏମଭିଆଇ/ଟ୍ରାଫିକ ଇନସ୍ପେକ୍ଟର/ଟ୍ରାଫିକ ଏସଆଇ ସାମିଲ ହେବେ। ଆରଟିଓ ଏବଂ ଏମଭିଆଇ ଏହି ଚଢ଼ଉକୁ ଅନୁଧ୍ୟାନ କରିବେ। ଧାର୍ୟ୍ୟ ତାରିଖ ପରେ ଆରଟିଓ ଵାରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ କେତେ ସଂଖ୍ୟାର ଖିଲାପୀ କେଉଁ ସ୍ଥାନରେ ଧରାପଡ଼ିଲେ, କେଉଁମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି, କେତେ ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି, ସେ ସମ୍ପର୍କିତ ଏକ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବାକୁ ପରିବହନ କମିସନରଙ୍କ କାର୍ୟ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

 

Related Articles

Leave a Reply

Your email address will not be published.

Back to top button