ସ୍ନାନ ପୂର୍ଣ୍ଣିମା : ଭୋର ୪ଟା ପୂର୍ବରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ: ଜୁନ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ । ସୀମିତ ସେବକଙ୍କୁ ଏହି ଯାତ୍ରାରେ ସାମିଲ କରାଯିବ । ଭୋର ୪ଟା ପୂର୍ବରୁ ସ୍ନାନବେଦିକୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ କରାଯିବ । ପହଣ୍ଡି ବିଜେ ବେଳେ ଦାୟିତ୍ୱ ସମ୍ପନ୍ନ ପଦସ୍ଥ ଅଫିସର ଓ ଜେଟିପି ନିୟୋଜିତ ହେବେ । ସହରରେ ସ୍ନାନ ଯାତ୍ରା ବେଳେ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ସେବାୟତଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ନ ଅଟକାଉ । ଏହି ସବୁ ପ୍ରସଙ୍ଗ ଉପରେ ସ୍ନାନଯାତ୍ରା ସହ ଯୋଡ଼ି ରହିଥିବା ଶ୍ରୀମନ୍ଦିର ଦଇତାପତି ସେବକଙ୍କ ସହ ଶନିବାର ଏସପି କେ ବିଶାଳ ସିଂହ ସ୍ନାନଯାତ୍ରା ପୂର୍ବରୁ ଆଲୋଚନା କରିଥିଲେ ।

ସ୍ନାନଯାତ୍ରା ସହ ଯୋଡ଼ି ରହିଥିବା ସେବାୟତ ନିଯୋଗ ସହ ଆଲୋଚନାର ନିର୍ଯ୍ୟାସକୁ ଆଗକୁ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯିବ । ଛତିଶା ନିଯୋଗ ବୈଠକରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ପୂର୍ଣ୍ଣିମାର ରୂପରେଖ ତଥା ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯିବ । ଶୁକ୍ରବାର ଏସପି ଅନ୍ୟ ୪ଟି ନିଯୋଗ ସହ ମଧ୍ୟ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଶନିବାର ପୁଷ୍ପାଳନ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆଲୋଚନା କରିଛି । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂଜାପଣ୍ଡା, ଗରାବଡ଼ୁ, ଖୁଣ୍ଟିଆ, ମେକାପ, ଦଇତାପତି ନିଯୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି ।

Related Articles

Leave a Reply

Your email address will not be published.

Back to top button