ସ୍କୁଲକୁ ଆସିବେ ୫୦% କର୍ମଚାରୀ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ହୋଇଛି । ପିଲାଙ୍କ କ୍ଲାସରୁମ ପାଠପଢ଼ା ବନ୍ଦ ରହିଥିବା ବେଳେ ସେମାନେ ହଷ୍ଟେଲ ଛାଡ଼ିଛନ୍ତି । ତେବେ ଶିକ୍ଷକ ଶିକ୍ଷୟିତ୍ରୀ କିଭଳି କାର୍ଯ୍ୟ କରିବେ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ଏ ନେଇ ସୋମବାର ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ୫୦% ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ । ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ବିଦ୍ୟାଳୟକୁ ଆସିବେ । କିଏ କେଉଁଦିନ ଆସିବେ ସେ ନେଇ ଶିକ୍ଷାନୁଷ୍ଠାନ ମୁଖ୍ୟ ନିଷ୍ପତ୍ତି ନେବେ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଶିକ୍ଷାନୁଷ୍ଠାନର ମୁଖ୍ୟ ମାନେ ଏ ସମ୍ପର୍କିତ ଡୁ୍ୟଟି ଚାଟ ପ୍ରସ୍ତୁତ କରିବେ । ବିଦ୍ୟାଳୟକୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମୟରେ ଛାତ୍ରଛାତ୍ରୀଙ୍କ ନାମଲେଖା, ପାଠ୍ୟପୁସ୍ତକ ବଣ୍ଟନ, ମଧ୍ୟାହ୍ନ ଭୋଜନ ପରିଚାଳନା ଆଦି କାର୍ଯ୍ୟ କରିବେ । ସମସ୍ତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀ ଛୁଟି ନେବାକୁ ଚାହିଁବେ ତେବେ ତାଙ୍କୁ ଶିକ୍ଷାନୁଷ୍ଠାନ/ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ଜରିଆରେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଏଥିରେ ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତେବେ ତାହାକୁ ଗୁରୁତର ସହ ନିଆଯିବ ।

Related Articles

Leave a Reply

Your email address will not be published.

Back to top button