ସେପ୍ଟେମ୍ବର ୧୯ରୁ ୟୁଏଇରେ ଅବଶିଷ୍ଟାଂଶ ଆଇପିଏଲ୍‌ !

ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୧ର ‌ଶେଷ ପର୍ଯ୍ୟାୟ ଇଂଲଣ୍ଡ ନୁହେଁ ୟୁଏଇରେ ଖେଳାଯିବ। ‘ସମ୍ବାଦ’ରେ ଏଥିନେଇ ଖବର ପ୍ରକାଶ ପାଇଥିଲା ବେଳେ ମଙ୍ଗଳବାର ଏଥିରେ ଜାତୀୟ ଗଣମାଧ୍ୟମ ମଧ୍ୟ ମୋହର ମାରିଛି। ରିପୋର୍ଟ ମୁତାବକ ଆଇପିଏଲ୍‌ର ଅବଶିଷ୍ଟ ୩୧ ମ୍ୟାଚ୍ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଏଥିରେ ୧୦ଟି ଡବଲ୍ ହେଡର ରହିବ। ସେହିଭଳି ପୂର୍ବପରି ଚାରିଟି ପ୍ଲେ ଅଫ୍ ମଧ୍ୟ ଖେଳାଯିବ। ପ୍ରତିଯୋଗିତା ଅକ୍ଟୋବର ୧୦ ତାରିଖରେ ‌ଶେଷ ହେବ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଓ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଶୃଙ୍ଖଳା ଶେଷ କରିବା ପରେ ଭାରତୀୟ ଖେଳାଳିମାନେ ସେପ୍ଟେମ୍ବର ୧୫ରେ ଦୁବାଇ ପହଞ୍ଚିବେ। ସେମାନଙ୍କ ସହ ଇଂଲଣ୍ଡ ଖେଳାଳି ମଧ୍ୟ ସେଠାକୁ ଯିବେ। ଉଭୟ ଦଳର ଖେଳାଳି ୟୁଏଇରେ ୩ ଦିନ ସଙ୍ଗରୋଧରେ ରହିବେ।

ଏଥିନେଇ ବିସିସିଆଇ ଓ ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ହେଲେ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଅନୁରୋଧ ପତ୍ର ପଠାଇ ନାହିଁ। ଆଇପିଏଲ୍ ପାଇଁ କିନ୍ତୁ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା କାରବୀୟ ପ୍ରିମିୟର ଲିଗ୍ ସୂଚୀରେ କିଛିଟା ଅଦଳ ବଦଳ ହୋଇପାରେ। ବିସିସିଆଇ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ମଧ୍ୟରେ ବି ଏଥିନେଇ କଥାବାର୍ତ୍ତା ଚାଲିଛି। ଶେଷ ପର୍ଯ୍ୟାୟରେ ୭ଟି ସିଙ୍ଗଲ ହେଡର ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ ଯେ ଭାରତରେ ଆଇପିଏଲ୍‌-୨୦୨୧ର ୨୯ ମ୍ୟାଚ୍ ଖେଳାଯିବା ପରେ ବିଭିନ୍ନ ଦଳର ଖେଳାଳି ଓ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଫଳରେ ଏହାକୁ ଅଧାରୁ ସ୍ଥଗିତ କରି ଦିଆଯାଇଥିଲା। ଗତବର୍ଷ ସଂପୂର୍ଣ୍ଣ ଆଇପିଏଲ୍‌ ୟୁଏଇରେ ଖେଳାଯାଇଥିଲା। ଭାରତରେ ବଢ଼ି ବଢ଼ି ଚାଲିଥିବା କରୋନା ସଂକ୍ରମଣ ପାଇଁ ୟୁଏଇ ପୁଣି ଥରେ ଆଇପିଏଲ୍‌ ଆୟୋଜନ ଅଧିକାର ପାଇବାକୁ ଯାଉଛି।

Related Articles

Leave a Reply

Your email address will not be published.

Back to top button