ସାରା ଓଡ଼ିଶାରେ ନାଇଟ୍‌ କର୍ଫ୍ୟୁ ‌

୧୦ ଜିଲ୍ଲାରେ ଶନି, ରବି ସଟ୍‌ଡାଉନ୍

ଭୁବନେଶ୍ୱର: ଶନିବାରଠାରୁ ସମଗ୍ର ରାଜ୍ୟରେ ନାଇଟ୍‍ କର୍ଫ୍ୟୁ ଲାଗୁ ହେବ। କୋଭିଡ୍ ସଂକ୍ରମଣ ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ଛତିଶଗଡ଼ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାରେ ପୂର୍ବରୁ ଜାରି ହୋଇଥିବା କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି। ସେହିସବୁ ଜିଲ୍ଲାର ପୌରାଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ  କର୍ଫ୍ୟୁ ଲାଗୁ ହେବ। ଏହାବ୍ୟତୀତ ଏହିସବୁ ଜିଲ୍ଲାର ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ଦିନ ସପ୍ତାହାନ୍ତ ଶଟ୍‌ଡାଉନ୍ ଲାଗୁ କରାଯିବ। ସେହିପରି ଭୁବନେଶ୍ୱର ଓ କଟକ ସମେତ ଅବଶିଷ୍ଟ ୨୦ଟି ଜିଲ୍ଲାରେ ନାଇଟ୍‍ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ନାଇଟ କର୍ଫ୍ୟୁରୁ ଜଳଯୋଗାଣ, ବିଦ୍ୟୁତ୍‍, ଗଣମାଧ୍ୟମ, ପରିବହନ ଆଦି ଜରୁରୀ ସେବା ବାଦ୍‍ ଦିଆଯାଇଛି। ଏହି ସେବାରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ କୌଣସି ପାସ୍‍ ଜାରି ହେବନାହିଁ। ସେମାନେ ନିଜ ନିଜର ପରିଚୟପତ୍ର ଦେଖାଇ ଯା’ଆସ କରିପାରିବେ। ମାଲ ପରିବହନ ଗାଡ଼ିଗୁଡ଼ିକୁ କଟକଣାରୁ ବାଦ୍‍ ଦିଆଯାଇଛି। ମହାପାତ୍ର କହିଛନ୍ତି, ପଡ଼ୋଶୀ ରାଜ୍ୟ ସମେତ ସମଗ୍ର ଦେଶରେ କୋଭିଡ୍‌ ମହାମାରୀ ହୁ ହୁ ହୋଇ ବଢ଼ୁଥିବାରୁ ତାହାକୁ ନିୟନ୍ତ୍ରଣ କରିବାଲାଗି ରାଜ୍ୟ ସକରାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି।  ଛତିଶଗଡ଼ ସୀମାନ୍ତବର୍ତ୍ତୀ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ବଲାଙ୍ଗିର ଆଦି ୧୦ଟି ଜିଲ୍ଲାର ସହରାଞ୍ଚଳରେ ଆସନ୍ତାକାଲିଠାରୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏହି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‍ଡାଉନ୍‍ ଜାରି ହେବ। ଶନିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ ନୂତନ ଭାବେ ଲାଗୁ ହେବାକୁ ଥିବା ନାଇଟ୍‍ କର୍ଫ୍ୟୁ ମଧ୍ୟରେ କଟକ-ଭୁବନେଶ୍ୱରରେ ମଧ୍ୟ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ।

ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ। ବିଦ୍ୟୁତ୍‌, ସ୍ୱାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ୍‌ ଡେଲିଭରି ଆଦି ସେବା ଜାରି ରହିବ। ଏଥିରେ ନିୟୋଜିତ ଥିବା କର୍ମଚାରୀ ପୋଲିସ୍‌କୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ପାସ୍‌ର ଆବଶ୍ୟକ ନାହିଁ। ଲୋକେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯା’ଆସ କରିପାରିବେ। ତେବେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଥାଇ ଗାଇଡଲାଇନ୍ ଜାରି କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆହୁରି କହିଛନ୍ତି, ବିବାହ ଉତ୍ସବ ପାଇଁ ସର୍ବାଧିକ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ମିଳିବ। କୌଣସି ଧାର୍ମିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଶୈକ୍ଷିକ ସମାବେଶ ହୋଇପାରିବ ନାହିଁ। ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଚାଲିବ। ବସ୍‌ରେ ଯାତ୍ରୀମାନଙ୍କୁ ଛିଡାକରି ନେବାକୁ ବାରଣ କରାଯାଇଛି। ଯେତିକି ସଂଖ୍ୟକ ସିଟ୍‍ ରହିଛି କେବଳ ସେତିକି ଲୋକ ଯାଇପାରିବେ। ସମସ୍ତ ଆନ୍ତଃରାଜ୍ୟ ବସ୍‍ ଚଳାଚଳକୁ ବନ୍ଦ ଘୋଷଣା ହୋଇଥିବାବେଳେ ରାଜ୍ୟ ଭିତରେ ବସ୍‍ ଚଳାଚଳ କରିପାରିବ। ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ। ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା, କିନ୍ତୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ଘରୋଇ କାର୍ଯ୍ୟାଳୟରେ କେତେ ପରିମାଣରେ କର୍ମଚାରୀ ରହିବେ, ସେନେଇ କର୍ତ୍ତୃପକ୍ଷ ଚିନ୍ତା କରିବେ। ଅଫିସ୍‌ରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ।

Related Articles

Leave a Reply

Your email address will not be published.

Back to top button