ରମେଶ ପାୱାର୍ ଭାରତୀୟ ମହିଳା କ୍ରିକେଟ୍ ଟିମର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ପଦରୁ ଡବ୍ଲ୍ୟୁଭି ରମଣ ହଟିବା ପରେ ତାଙ୍କ ସ୍ଥାନରେ ମୁମ୍ବାଇର ପୂର୍ବତନ ସ୍ପିନର୍ ତଥା ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ରମେଶ ପାୱାରଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ପଦ ସକାଶେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ପାୱାରଙ୍କ ନାମ ବିସିସିଆଇର ତିନିଜଣିଆ କ୍ରିକେଟ୍ ଉପଦେଷ୍ଟା କମିଟି (ସିଏସି) ପକ୍ଷରୁ ଚୂଡ଼ାନ୍ତ କରାଯାଇଛି। ଏହି ତିନିଜଣିଆ କମିଟିରେ ସୁଲକ୍ଷଣା ନାଏକ, ମଦନ ଲାଲ୍ ଓ ଆରପି ସିଂ ରହିଥିବା ବେଳେ ସେମାନେ ସମସ୍ତ ଆବେଦନକାରୀଙ୍କ ସାକ୍ଷାତକାର ନେବା ପରେ ପାୱାରଙ୍କ ନାମରେ ମୋହର ମାରିଛନ୍ତି। ନୂତନ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଥିବା ପାୱାର୍ ଦଳ ସହ ଇଂଲଣ୍ଡ ଟୁରରେ ଯିବେ ଓ ଏହା ତାଙ୍କର ପ୍ରଥମ ଦାୟିତ୍ବ ହେବ। ଉକ୍ତ ଗସ୍ତରେ ଭାରତ ଦୀର୍ଘ ୮ ବର୍ଷ ପରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳିବା ସହ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏକମାତ୍ର ଟେଷ୍ଟଟି ଆସନ୍ତା ଜୁନ୍ ୧୬ ତାରିଖରେ ବ୍ରିଷ୍ଟଲଠାରେ ଖେଳାଯିବ। ଏହି ସିରିଜ୍ ସକାଶେ ବିସିସିଆଇ ଚୟନ କମିଟିର ସଦସ୍ୟମାନେ ଖୁବଶୀଘ୍ର ଦଳ ଘୋଷଣା କରିବେ ବୋଲି ଆଶା କରାଯାଉଛି। ମହିଳା ଟିମର ସଦସ୍ୟମାନେ ଭାରତୀୟ ପୁରୁଷ ଦଳର ଖେଳାଳିମାନଙ୍କ ସହ ଆସନ୍ତା ଜୁନ୍ ୨ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ।ଭାରତର ପୂର୍ବତନ ସ୍ପିନର୍ ପାୱାର୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨ଟି ଟେଷ୍ଟ୍ ଖେଳିବା ସହ ୩୧ଟି ଦିନିକିଆ ଖେଳିଛନ୍ତି। କ୍ରିକେଟର୍ ଭାବେ କ୍ୟାରିୟର୍ ଶେଷ କରିବା ପରେ ପାୱାର୍ କୋଚିଂ ପ୍ରତି ମନ ବଳାଇଥିଲେ। ସେ ଇସିବି ଲେବଲ୍ ୨ ପ୍ରମାଣପତ୍ର ମଧ୍ୟ ହାସଲ କରି ଜଣେ ପ୍ରଶିକ୍ଷିତ କୋଚର ମାନ୍ୟତା ପାଇଥିଲେ। ଏହାଛଡ଼ା ସେ ବିସିସିଆଇ-ଏନସିଏ ଲେବଲ୍ ୨ କୋଚିଂ କୋର୍ସ ମଧ୍ୟ ପୂରଣ କରିଥିଲେ।

Related Articles

Leave a Reply

Your email address will not be published.

Back to top button