ମହାନଦୀ ଜଳ ବିବାଦ ଶୁଣାଣି ସ୍ଥଗିତ

ଭୁବନେଶ୍ୱର:  ଆସନ୍ତାକାଲି ହେବାକୁ ଥିବା  ମହାନଦୀ ଜଳ ବିବାଦ ମାମଲାର ଶୁଣାଣିକୁ ସ୍ଥଗିତ ରଖିଲେ ଟ୍ରିବ୍ୟୁନାଲ । ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚିତ କରାଯାଇଛି । ନୋଟିସରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ପାଇଁ ଲକ୍‌ଡାଉନ୍ ଜାରି ରହିଛି । ଏହିଭଳି ଏକ ପରିସ୍ଥିତିରେ ଆସନ୍ତା ମେ ୮ ତାରିଖରେ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୦ ତାରିଖ ପରେ ଜଣାପଡ଼ିବ । ୨୦ ତାରିଖ ବେଳକୁ ଟ୍ରିବ୍ୟୁନାଲ ବିଚାରପତିଙ୍କ ଉପସ୍ଥିତି ତଥା ପାରିପାର୍ଶ୍ୱିକ ଅବସ୍ଥାକୁ ଦୃଷ୍ଟିରେ ରଖି ତାରିଖ ଚୁଡାନ୍ତ କରାଯିବ । ଛତିଶଗଡ଼ ସରକାର ଏପ୍ରିଲ୍ ୧୦ରେ ହେବାକୁ ଥିବା ଶୁଣାଣିକୁ ଘୁଞ୍ଚାଇ ଦେବା ପାଇଁ ଟ୍ରିବ୍ୟୁନାଲକୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହାପରେ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରୁଥିବାବେଳେ ଗତବର୍ଷ ମାର୍ଚ୍ଚରୁ କରୋନା କଟକଣା ଯୋଗୁଁ ଭର୍ଚ୍ଚୁଆଲ ଶୁଣାଣି ହେଉଛି । ହେଲେ ବର୍ତ୍ତମାନ କରୋନା ଯୋଗୁଁ ଦୁଇଟି ଧାର୍ୟ୍ୟ ତାରିଖରେ ଶୁଣାଣି ସମ୍ଭବପର ହୋଇନାହିଁ । ମାମଲାର ଶୁଣାଣି ଆଗକୁ ଆହୁରି ବିଳମ୍ବ ହେବାର ଅନୁମାନ କରାଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଉଭୟ ରାଜ୍ୟ ଆଲୋଚନା କରି ବୁଝାମଣା ପାଇଁ ଓଡିଶା ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟର ବୈଷୟିକ ଟିମର ୩ ଜଣ ସଦସ୍ୟ କୋଭିଡ ରେ ମୃତ୍ୟୁବରଣ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button