ବିନା କରୋନା ଟେଷ୍ଟରେ ସୁପ୍ରିମ୍‌କୋର୍ଟ ପରିସରକୁ ପ୍ରବେଶ ମନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କ ନମୁନାରେ କୋଭିଡ୍ ଭୂତାଣୁ ବାହାରିବା ପରେ ଏଣିକି ପ୍ରତିଟି ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ସୁପ୍ରିମକୋର୍ଟ ପରିସରରେ ପ୍ରବେଶ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ସେମାନଙ୍କ କୋଭିଡ୍ ଟେଷ୍ଟ୍ କରାଇବାକୁ ପଡ଼ିବ। ଏହା ଏକ ପ୍ରତିଷେଧକମୂଳକ ବ୍ୟବସ୍ଥା ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି। ଏହାଛଡ଼ା ସୁପ୍ରିମକୋର୍ଟ ଆହୁରି କେତେକ ନିୟମାବଳୀ ମଧ୍ୟ ଲାଗୁ କରିଛନ୍ତି। ସୁପ୍ରିମକୋର୍ଟ ଭିତରେ ପ୍ରବେଶ କରୁଥିବା ରେଜିଷ୍ଟ୍ରି ଷ୍ଟାଫ୍, ଷ୍ଟାଫ୍ ଅଫ୍ ଦ କୋର୍ଡିନେଟ୍ ଏଜେନ୍ସି, ଆଡଭୋକେଟ୍ ଓ ସେମାନଙ୍କ କର୍ମଚାରୀଙ୍କଠାରେ କୌଣସି ପ୍ରକାର କୋଭିଡ୍ ଲକ୍ଷଶ ଦେଖାଦେଲେ ସେମାନଙ୍କର ରାପିଡ୍ ବା ଆରଟି-ପିସିଆର୍ ଟେଷ୍ଟ୍ କରାଯିବ ବୋଲି ଜାରି ଏକ ବିବୃତିରେ କୁହାଯାଇଛି। ସେହିପରି ସୁପ୍ରିମକୋର୍ଟରେ ମୁତୟନ ସମସ୍ତ କଣ୍ଟ୍ରୋଲିଂ ଅଫିସର୍ ସମସ୍ତ କର୍ମଚାରୀ ମାସ୍କ ପିନ୍ଧୁଛନ୍ତି କି ନାହିଁ, ସାମାଜିକ ଦୂରତା ନିୟମ ପାଳନ କରୁଛନ୍ତି କି ନାହିଁ ଓ ନିୟମିତ ଭାବେ ହାତ ସାନିଟାଇଜ୍ କରୁଛନ୍ତି କି ନାହିଁ, ତାହା ସୁନିଶ୍ଚିତ କରିବେ।ସେହିପରି ଯେଉଁସବୁ ବ୍ୟକ୍ତିଙ୍କଠାରେ ଜ୍ବର, କଫ, ଦେହ ଘୋଳାବିନ୍ଧା, ସ୍ବାଦ ବାରିବା ଓ ଶୁଙ୍ଘିବା ଶକ୍ତି କ୍ଷୟ, ହଇଜା ଆଦି ପରି ଲକ୍ଷଣ ଦେଖାଯାଉଥିବ, ସେମାନେ କୋର୍ଟକୁ ଆସିବାର ଆବଶ୍ୟକତା ନାହିଁ। ସେମାନେ ଅଫିସ୍ କାର୍ଯ୍ୟ ଉପରେ ଗୁରୁତ୍ବ ନ ଦେଇ ନିଜକୁ ଆଇସୋଲେସନରେ ରଖିବା ସହ ତୁରନ୍ତ ମେଡିକାଲ୍ ଷ୍ଟାଫଙ୍କ ସହାୟତା ଲୋଡ଼ିବା ଦରକାର ବୋଲି ଉକ୍ତ ବିବୃତିରେ କୁହାଯାଇଛି। ସେହିପରି ସୁପ୍ରିମକୋର୍ଟ କାର୍ଯ୍ୟାଳୟରେ କୌଣସି ପ୍ରକାର ଗହଳି କିମ୍ବା ଜନସମାବେଶ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଛି। ସେହିପରି ସାର୍ବଜନିକ ସ୍ଥାନରେ କେବଳ ଉଦ୍ଦେଶ୍ୟମୂଳକ ଯାତାୟାତକୁ ହିଁ ଅନୁମତି ଦିଆଯାଇଛି। ତା’ଛଡ଼ା ସାର୍ବଜନିକ ସ୍ଥାନରେ କାମ କରୁଥିବା ଲୋକମାନେ ତୁରନ୍ତ ସେମାନଙ୍କ କାମ ଶେଷ କରି ନିଜ ନିଜ କାର୍ଯ୍ୟାଳୟକୁ ଫେରିଯିବା ସକାଶେ ଉକ୍ତ ବିବୃତିରେ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button