ବନ୍ଦ ହେଲା ନବମ ଓ ଏକାଦଶ କ୍ଲାସ୍‌

ଭୁବନେଶ୍ବର: ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ କୋରୋନା ମହାମାରୀ ସଂକ୍ରମଣ ବ୍ୟାପି ଚାଲିଥିବାରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ରେ ଚାଲୁଥିବା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ାକୁ ସରକାର ବାତିଲ୍‌ କରିଦେଇଛନ୍ତି। ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌କୁ ଚଳିତ ଅପ୍ରେଲ୍‌ ୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରିଛନ୍ତି। ଏହି ସମୟରେ ବିଭିନ୍ନ ହଷ୍ଟେଲ୍‌ କିମ୍ବା ଆବାସିକ ବିଦ୍ୟାଳୟରେ ରହୁଥିବା ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ଘରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଆବଶ୍ୟକ ସ୍ଥଳେ ଅନ୍‌ଲାଇନ୍‌ରେ ପାଠ ପଢ଼ା ଚାଲୁ ରଖାଯିବ ବୋଲି ବିଭାଗ ସୂତ୍ରରୁ କୁହାଯାଇଛି।

କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଚଳିତ ଅପ୍ରେଲ୍‌ ୨୫ ତାରିଖ ପର୍ଯ୍ୟନ୍ତ ପୂର୍ବପରି ଜାରି ରହିବ। ୨୦୨୧ ମେ’, ଜୁନ୍‌ ମାସରେ ଉଭୟ ଶ୍ରେଣୀ ପିଲାମାନେ ପରୀକ୍ଷା ଦେବେ ଏବଂ ତାହାକୁ ଦୃଷ୍ଟିରେ ରଖି ପାଠପଢ଼ା ଅବ୍ୟାହତ ରହିଲେ ମଧ୍ୟ ବିଦ୍ୟାଳୟ ଓ ହଷ୍ଟେଲ୍‌ମାନଙ୍କରେ ମାସ୍କ ପରିଧାନ, ହାତ ଧୁଆ, ସାମାଜିକ ଦୂରତା ବଜାୟ ରଖିବା ପରି କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନକୁ ସୁନିଶ୍ଚିତ କରାଯିବ। ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ୍‌ ଖୋଲିଥିଲା। ଏହା ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଜାନୁଆରୀ ଠାରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। କୋରୋନା କଟକଣାରେ ସ୍କୁଲ୍‌ ଖୋଲିଥିବାରୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରିଥିଲେ।

 

Related Articles

Leave a Reply

Your email address will not be published.

Back to top button