ଫେସ୍‌ବୁକ୍, ଟ୍ବିଟର ହୋଇପାରେ ନିଷିଦ୍ଧ

ନୂଆଦିଲ୍ଲୀ: ଫେସବୁକ୍, ଟ୍ବିଟର ଓ ଇନଷ୍ଟାଗ୍ରାମ୍ ଭଳି ବଡ଼ ସୋସିଆଲ ମିଡିଆ ସାଇଟ୍‌ଗୁଡ଼ିକ ଭାରତରେ ନିଷିଦ୍ଧ ହୋଇପା‌ରେ। ଏହି ସଂସ୍ଥାଗୁଡ଼ିକ ବର୍ତ୍ତମାନ ଯେଉଁ ଆଇନଗତ ଅଧିକାର ଉପଭୋଗ କରୁଛନ୍ତି ତାହାକୁ ଭାରତ ସରକାର ପ୍ରତ୍ୟାହାର କରିନେ‌ବେ। ଏଥିପାଇଁ ଏକ ନୂଆ ନିୟମ ଜାରି କରାଯାଇଛି। ସେହି ନିୟମକୁ ଚଳିତ ମାସ ୨୫ ସୁଦ୍ଧା ପାଳନ କରିବାକୁ କଂପାନିଗୁଡ଼ିକୁ ସରକାର କହିଥିଲେ। ନିୟମ ଅନୁସାରେ ଏହି କଂପାନିଗୁଡ଼ିକୁ ଆଉ ସେମାନଙ୍କ ମୂଳ କଂପାନିର ସହଯୋଗୀ ସଂସ୍ଥା ଭାବେ ବିଚାର କରାଯିବ ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କଂପାନି ଏହି ନିୟମକୁ ପାଳନ କରିନାହାନ୍ତି। ଫେସବୁକ୍ ପକ୍ଷରୁ ଆଜି କୁହାଯାଇଛି ଯେ ଭାରତ ସରକାରଙ୍କ ନୂଆ ନିୟମ ପାଳନ କରିବାକୁ ଆମେ ଲକ୍ଷ୍ୟ ରଖିଛି। କିନ୍ତୁ ଏଦିଗରେ କେତେକ ପ୍ରସଙ୍ଗକୁ ନେଇ ସରକାରଙ୍କ ସହିତ ଆହୁରି ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି କଂପାନିର ପ୍ରବକ୍ତା କହିଛନ୍ତି। କେନ୍ଦ୍ର ସରକାର ଫେବ୍ରୁଆରି ୨୫ରେ ନୂଆ ସୂଚନା ପ୍ରଯୁକ୍ତି ନିୟମ ଜାରି କରିଥିଲେ। ଏହାର ଲକ୍ଷ୍ୟ ହେଉଛି ସୋସିଆଲ୍ ମିଡିଆରେ ପୋଷ୍ଟ ହେଉଥିବା ବିଷୟବସ୍ତୁଗୁଡ଼ିକ ଉପରେ ନଜର ରଖିବା। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ନିୟମ ଅଣାଯାଇଛି ବୋଲି ଅଭିଯୋଗ ହେଉଛି। ଏହି ନିୟମ ତିଆରି କରିବା ପୂର୍ବରୁ ଅଂଶୀଦାରମାନଙ୍କ ସହ କୌଣସି ଆଲୋଚନା କରାଯାଇନଥିଲା। ନିୟମକୁ ଯଦି କଡ଼ାକଡ଼ି ଭାବେ ଲାଗୁ କରାଯିବ ତେବେ ଦେଶରେ ଥିବା ପ୍ରାୟ ସବୁ ବଡ଼ ସୋସିଆଲ୍ ମିଡିଆ କଂପାନି ଯଥା ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ୍, ଟେଲିଗ୍ରାମ୍, ସିଗ୍‌ନାଲ୍‌ ଆଦି ପ୍ରଭାବିତ ହେବେ। ‌ଏହି ସବୁ କଂପାନିକୁ ଦେଶରେ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି। ନୂଆ ନିୟମରେ ଅନେକ କଠୋର ବ୍ୟବସ୍ଥା ରହିଛି। ଆପତ୍ତିଜନକ ପୋଷ୍ଟକୁ ହଟାଇବା ଲାଗି ସରକାର କହିବାର ୩୬ ଘଣ୍ଟା ଭିତରେ ତାହା ହଟିଯିବା ଦରକାର। ଯେଉଁ କଂପାନି ସେହି ନିୟମ ପାଳନ କରିବାରେ ବିଫଳ ହେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ। ଏହି ନିୟମ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍ ପ୍ରତି ମଧ୍ୟ ଏକ ବଡ଼ ବିପଦ ବୋଲି କୁହାଯାଉଛି। କାରଣ ସରକାର ପୋଷ୍ଟ୍‌ର ପ୍ରକୃତ ଉତ୍ସ ବିଷୟରେ ଜଣାଇବା ଲାଗି କଂପାନିଗୁଡ଼ିକୁ ବାଧ୍ୟ କରୁଛନ୍ତି। ସରକାର ଆଣିଥିବା ନୂଆ ନିୟମ ଲାଗୁ କରିବାର ସମୟ ସୀମାକୁ ଏକ ବର୍ଷ ବଢ଼ାଇବା ଲାଗି ବଡ଼ ସୋସିଆଲ ମିଡିଆ କଂପାନିଗୁଡ଼ିକ ଶିଳ୍ପ ସଂଘ ଫିକି ଓ ସିଆଇଆଇ ଜରିଆରେ ଲବି ଆରମ୍ଭ କରିଛନ୍ତି। ଆଜ ଏହି ସମୟ ସୀମା ଶେଷ ହେଉଥିବା ବେଳେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ଏହାକୁ ବଢ଼ାଇବା ନେଇ କୌଣସି ଘୋଷଣା କରାଯାଇନାହିଁ।

Related Articles

Leave a Reply

Your email address will not be published.

Back to top button