ପିପିଲିରେ ପୁଲିସ ଡିଜି

ଭୁବନେଶ୍ୱର: ନିର୍ବାଚନୀ ହିଂସା ପାଇଁ କୁଖ୍ୟାତ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ଚଳିତ ଉପନିର୍ବାଚନରେ ମଧ୍ୟ ହିଂସାକାଣ୍ଡ ଘଟିବାରେ ଲାଗିଛି। ବିଗତ କିଛି ଦିନ ହେଲା  ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟି ରକ୍ତପାତ ହୋଇଛି । ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଏହାରି ଭିତରେ ଆଜି  ପିପିଲିରେ ପହଞ୍ଚିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ ।  ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଏଡିଜି ଆଇନ ଶୃଙ୍ଖଳା ବି ତାଙ୍କ ସହ ସାମିଲ ହୋଇଛନ୍ତି । ଶେଷ ଖବର ସୁଦ୍ଧା ପିପିଲି ଥାନାରେ ଡିଜିପି ଓ ବରିଷ୍ଠ ଅଧିକାରୀମାନେ ସ୍ଥିତି ସମୀକ୍ଷା କରୁଥିବା ଜଣାଯାଇଛି ।  ପିପିଲିରେ ବଢି ଚାଲିଥିବା ନିର୍ବାଚନୀ ହିଂସାକୁ ନେଇ ଏହି ସମୀକ୍ଷା କରାଯାଉଥିବା ଜଣାଯାଇଛି । ପ୍ରକାଶ ଯେ, ଗତକାଲି  ବିଜେଡି କର୍ମୀଙ୍କ ମାଡରେ ୩ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସ ଯାଇ ବିଜେପି ସଭାପତି ସମୀର ମହାନ୍ତି ଗୁରୁତର ବିଜେପି କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଡେଲାଙ୍ଗ ଜେନାପୁରର ବାହ୍ମଣ ବାଡ଼ ଅଂଚଳରେ ବିଜେପି କର୍ମୀ ପ୍ରଚାର କରୁଥିବା ବେଳେ ଏହି ଗଣ୍ଡଗୋଳ ହୋଇଥିଲା । ଘଟଣା ପରେ ପଟନେକିଆ ରାସ୍ତାକୁ ହାଟଡେଲାଙ୍ଗ ଠାରେ ଅବରୋଧ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି ।

Related Articles

Leave a Reply

Your email address will not be published.

Back to top button