ପରିବାର ଅଦାଲତରେ ଅନୁଭବ-ବର୍ଷା ହାଜର
ଛାଡ଼ପତ୍ର ମାମଲାର ଶୁଣାଣି ଆରମ୍ଭ
କଟକ : ଓଲିଉଡ଼ର ଲୋକପ୍ରିୟ ଯୋଡ଼ି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ଢେ଼ର ଆଗକୁ ବଢ଼ିଯାଇଛି । ସେମାନଙ୍କ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଆଉ ମଧୁର ହେବାର ସମ୍ଭାବନା ନାହିଁ । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ପ୍ରାୟତଃ ନିଶ୍ଚିତ ବୋଲି ତାଙ୍କର ନିକଟତମ ଲୋକମାନେ ମତବ୍ୟକ୍ତ କରୁଛନ୍ତି । ଗୋଟିଏ ପଟେ ସେମାନଙ୍କ ଫ୍ୟାନମାନେ ଉଭୟ ଯୋଡ଼ିଙ୍କୁ ଏକାଠି ହେବାକୁ ସୋସିଆଲ ମିଡ଼ିଆରେ ନିବେଦନ କରୁଥିବାବେଳେ ଅନୁଭବ କିନ୍ତୁ ବର୍ଷାଙ୍କୁ ଛାଡ଼ିବା ପାଇଁ ମନ ନିଶ୍ଚିତ କରିସାରିଥିବା ଓଲିଉଡ଼ରେ ଚର୍ଚ୍ଚା ହେଉଛି । ଗତକାଲି କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଉଭୟ ଅନ୍ୁଭବ ଓ ବର୍ଷା କଟକ ପରିବାର ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬ରେ ପିଟିସନ ଦାଖଲ କରିଥିଲେ । ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ଷା ଦାୟର କରିଥିବା ଆବେଦନର ୨୦୨୦ ଅକ୍ଟୋବର ୧୬ ତାରିଖରେ ସୁପ୍ମକୋର୍ଟ ଶୁଣାଣି କରି ଆପୋସ ବୁଝାମଣା ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ । ଏଥି ସହିତ ପଟିଆଲା ହାଉସ ଫାମିଲି କୋର୍ଟରେ ବିଚାରାଧୀନ ଅନୁଭବଙ୍କ ଆବେଦନର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ମାର୍ଚ୍ଚ ୫ ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା ।