ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି

ପୁରୀ:  କରୋନା ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ । ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ଏହି ଅବସରରେ ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।  ସେ କହିଛନ୍ତି ଯେ,  ନିୟମାବଳୀ ଅନୁଯାୟୀ ସବୁ ସେବାୟତଙ୍କର କୋଭିଡ ଟେଷ୍ଟ ହେବ ।  ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ ।  ୮ ଜଣ ସେବାୟତ ସଂକ୍ରମିତ ହୋଇଛନ୍ତି । ସେବାୟତଙ୍କୁ ଏନ୯୫ ମାସ୍କ ଦିଆଯିବ ।  ରଥଖଳା ପ୍ରବେଶ ଉପରେ କଟକଣା ଜାରି କରାଯିବ । ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା କରି ରିପୋର୍ଟ ଦେବେ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।

ପ୍ରକାଶ ଯେ, କୋଭିଡ୍ କଟକଣା ମଧ୍ୟରେ ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ ଜାରି ରହିଛି । ପୂର୍ବ ନିଷ୍ପତି ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ କଟକଣା ପାଳନ କରି ରଥ ନିର୍ମାଣ କାର୍ୟ୍ୟ କରୁଛନ୍ତି ବିଶ୍ୱକର୍ମା ମହାରଣା । ପ୍ରାଥମିକ ପର୍ୟ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ ତୁମ୍ବ ନିର୍ମାଣର ପ୍ରସ୍ତୁତି ଚାଲିଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରଥଖଳାର ପରିସୀମା ବୃଦ୍ଧି ହେବାସହ ସାମାଜିକ ଦୂରତ୍ୱ ରକ୍ଷା କରି ଓ ସାନିଟାଈଜର ବ୍ୟବହାର କରି ରଥ ନିର୍ମାଣ କାର୍ୟ୍ୟ କରାଯାଉଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ଦୃଷ୍ଟିରେ ରଖି ରଖ ନିର୍ମାଣ କାର୍ୟ୍ୟ କରାଯାଉଛି।

ଅନ୍ୟପକ୍ଷରେ ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟପକ୍ଷରେ କରୋନାର ଦ୍ୱିତୀୟ ଲହରରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଜଣେ ଜେଟିପିଙ୍କର ସଂକ୍ରମଣରେ ମୃତ୍ୟୁ ନେଇ ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button