ତ୍ରୁଟିପୂର୍ଣ୍ଣ ଅନଲକ ହେଉଛି ଦ୍ୱିତୀୟ ଲହର ଦାୟୀ: ହୁ

ଲଣ୍ଡନ: ଭାରତରେ ଦେଖାଦେଇଥିବା ମହାମାରୀ କୋଭିଡ-୧୯ ଦ୍ୱିତୀୟ ଲହରର ଭୟାବହତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଭାରତର ତ୍ରୁଟିପୂର୍ଣ୍ଣ ଅନଲକ ପ୍ରକ୍ରିୟାକୁ ଦାୟୀ କରିଛି । ଦେଶରୁ ପ୍ରଥମ ଲହରର ପ୍ରାଦୁର୍ଭାବ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇନଥିବା ବେଳେ ଦୈନନ୍ଦିନ ଜୀବନରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ସରକାର ଦ୍ୱିତୀୟ ଲହରର ଆବିର୍ଭାବକୁ ଠିକରେ ଆକଳନ କରିପାରିନଥିଲେ । ଫଳରେ ଏପରି ଆଗୁଆ ଅନଲକ ପ୍ରକ୍ରିୟା ଆରମ୍ଭ କରିଦେବା ସହ ପାର୍ବଣ ଋତୁ ଓ ସାମାଜିକ ଉତ୍ସବରେ ସମାବେଶକୁ ଅନୁମତି ଦେଇ କୋଭିଡ କଟକଣା କୋହଳ କରିଦେବାରୁ ଦ୍ୱିତୀୟ ଲହର ସଂକ୍ରମଣ ତ୍ୱରିତ ବେଗରେ ବ୍ୟାପିଥିଲା । ଏଥି ସହିତ ଡେଲଟା ପରି ଘାତକ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ଆବିର୍ଭାବ ସାଙ୍ଗକୁ ଅସମାନ ଟିକାବଣ୍ଟନ ମଧ୍ୟ ଦ୍ୱିତୀୟ ଲହର ଭୟାବହତାକୁ ଯଥେଷ୍ଟ ବଢ଼ାଇଦେଲା ବୋଲି ଲଣ୍ଡନରେ ଅନୁଷ୍ଠିତ ଜି-୭ ବୈଠକରେ ‘ହୁ’ର ଜରୁରୀକାଳୀନ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ ଚିନ୍ତା ପ୍ରକଟ କରିଛନ୍ତି । ଭାରତରେ ମହାମାରୀର ପ୍ରକୋପ ଜାରି ରହିଛି ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବା ଦ୍ୱାରା ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ସେ କହିଛନ୍ତି । ଅପରପକ୍ଷେ, ଭାରତର ଏହି ସ୍ଥିତି ପାଇଁ ଅନୁରୂପ ଭାବେ ସାମାଜିକ ସମାବେଶ ଓ ଚାରିପ୍ରକାର ରୂପାନ୍ତରିତ କରୋନାଭୂତାଣୁକୁ ଦାୟୀ କରିଛନ୍ତି ‘ହୁ’ର କୋଭିଡ ପରିଚାଳନାର ବୈଷୟିକ ମୁଖ୍ୟ ମାରିଆ ଭାନ କେର୍କୋଭ  । ସେହି ପ୍ରଜାତିଗୁଡ଼ିକ ମଧ୍ୟରେ ୟୁକେରେ ପ୍ରଥମେ ଠାବ ହୋଇଥିବା ଆଲଫା ପ୍ରଜାତି, ଦକ୍ଷିଣ ଆଫ୍ରିକାର ବିଟା ପ୍ରଜାତି, ବ୍ରାଜିଲର ଗାମା ପ୍ରଜାତି ଓ ଭାରତର ଡେଲଟା ପ୍ରଜାତି ରହିଛନ୍ତି । ଏହି ରୂପାନ୍ତରିତ ନୂତନ ପ୍ରଜାତିର କରୋନାଭୂତାଣୁମାନେ ସଂକ୍ରମଣକୁ କ୍ଷିପ୍ର କରିଦେବା ସାଙ୍ଗକୁ ଲୋକେ ସାମାଜିକ ଦୂରତ୍ୱ ବଜାୟ ରଖିବା ଛାଡ଼ିଦେଲେ । ସେହିପରି ଭାରତରେ ଉପଲବଧ ଦୁର୍ବଳ ଜନସ୍ୱାସ୍ଥ୍ୟ ସେବା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସମାବେଶରେ ଲୋକଙ୍କ ଅବାଧ ମିଳାମିଶା ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଲା ବୋଲି କେର୍କୋଭ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button