ଡାକ୍ତରଖାନାରେ ମିଲ୍‌ଖା ସିଂହ

ନୂଆଦିଲ୍ଲୀ: କିଂବଦନ୍ତି ଭାରତୀୟ ଧାବକ ମିଲ୍‌ଖା ସିଂହଙ୍କ ଅସୁସ୍ଥତା ବଢ଼ିବାରୁ ତାଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ବୁଧବାର କୋଭିଡ୍‌ ପଜିଟିଭ ଆସିବା ପରଠାରୁ ୯୧ ବ‌ର୍ଷୀୟ ମିଲଖା ନିଜ ଚଣ୍ଡୀଗଡ଼ ବାସଭବନରେ ସଙ୍ଗରୋଧରେ ରହିଥିଲେ। ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି। ତାଙ୍କ ପୁତ୍ର ତଥା ଅଗ୍ରଣୀ ଗଲ୍‌ଫର ଜୀଭ୍ ମିଲଖା ସିଂହ କହିଛନ୍ତି ପ୍ରତିଶେଧମୂଳକ ପଦକ୍ଷେପ ନେଇ ଆମେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଛୁ। ଗତକାଲିଠାରୁ ସେ ଖାଉନାହାନ୍ତି ଏବଂ ଦୁର୍ବଳ ଅନୁଭବ କରୁଛନ୍ତି। ସବୁ ପାରାମିଟର୍‌ ସଠିକ୍ ରହିଥିଲେ ମଧ୍ୟ ଡାକ୍ତରଙ୍କ ନଜରରେ ରଖିବାକୁ ହସ୍ପିଟାଲରେ ଭର୍ତ୍ତି କରିଛୁ’ ବୋଲି ଜୀଭ୍‌ ପ୍ରକାଶ କରିଥିଲେ। କିଂବଦନ୍ତି ଧାବକ ମିଲ୍‌ଖା ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଜିତିବା ସହ ୧୯୫୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ମଧ୍ୟ ହୋଇଥିଲେ। ୧୯୬୦ ରୋମ୍ ଅଲିମ୍ପିକ୍ସ ୪୦୦ ମିଟର୍‌ ଫାଇନାଲରେ ଚତୁର୍ଥ ହେବା ତାଙ୍କୁ ବିଖ୍ୟାତ କରିଥିଲା। ଇଟାଲୀ ରାଜଧାନୀରେ ସେ ରଚିଥିବା ଜାତୀୟ କୀର୍ତ୍ତିମାନ (୪୫.୭୩ ସେକେଣ୍ଡ)କୁ ଦୀର୍ଘ ୩୮ ବର୍ଷ ପରେ ୧୯୯୮ରେ ପରମଜିତ୍ ସିଂହ ଭାଙ୍ଗିଥିଲେ। ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

Related Articles

Leave a Reply

Your email address will not be published.

Back to top button